Unknown

 

 

 

 

 

 

 

 

 

ଅନ୍ତରାୟ

କାହ୍ନୁ ଚରଣ ମହାନ୍ତି

 

ଛାତ୍ର-ଜୀବନରୁ ଦୁହେଁ ଥିଲେ ଅନ୍ତରଙ୍ଗ ବନ୍ଧୁ, ଜଣକୁ ନ ଦେଖିଲେ ଆରକ ବଣା ହେଉଥିଲା । ଜଣକ ପାଇଁ ଆଉ ଜଣେ ପ୍ରାଣପାତ କରିବାକୁ ପ୍ରସ୍ତୁତ ହୋଇଯାଉଥିଲା ।

ଆଇ.ଏ. ପଢ଼ିବା ବେଳେ ରାମକୁ ହୋଇଥିଲା ଟାଇଫଏଡ଼୍ । ଦାମକୁ ନିଦ ନ ଥାଏ । ଦିନ ରାତି ସେବାକରେ । ଟିଉସନ୍ ଧନରୁ ଯାହାକିଛି ବଞ୍ଚାଇ ସଞ୍ଚୟ କରି ରଖିଥିଲା, ବନ୍ଧୁର ଜୀବନପାଇଁ ସେତକ ସେ ବ୍ୟୟ କରିଥିଲା । ରାମ ବଞ୍ଚିଲା ।

ଦୁଇବନ୍ଧୁ ଗୋଟିଏ ମେସ୍‌ରେ, ପୁଣି ଗୋଟିଏ ରୁମ୍‌ରେ ରହିଲେ । ଆଇ. ଏ. ପଢ଼ା ଶେଷ ହେଲା । ଦୁହେଁ ପାସ୍ କଲେ । ଦୁହେଁ ପୁଣି ବିଚାରିଲେ କଣ କରିବା ? ଦୁହେଁ ଦୁଇ ଜାତିର ଲୋକ । ଦୁହେଁ ଗରୀବ ଘରର ପିଲା । ରାମର ଘର ସିଂହଭୂଇଁ, ଆଉ ଦାମର ପାର୍ବତୀପୁର । ଓଡ଼ିଶା ବାହାରର ଲୋକ ହେଲେ ମଧ୍ୟ ଦିହେଁ ଖାଣ୍ଟି ଓଡ଼ିଆ ଘରର ପୁଅ । ଦୁହିଁଙ୍କ ମନରେ ଜାତିପ୍ରେମବହ୍ନି ପ୍ରଜ୍ଜ୍ୱଳିତ ।

ଦାମ କହିଲା, ଦେଶ କାମରେ ଚାଲ ଲାଗିପଡ଼ିବା । ତୁ ସିଂହଭୂଇଁରେ ଠିଆହୋଇ ମୋରି ଆଡ଼କୁ ଚାହିଁ ତୁରୀ ଫୁଙ୍କିବୁ । ଆଉ ମୁଁ ପାର୍ବତୀପୁରରେ ଠିଆ ହୋଇ ତୋରି ଆଡ଼କୁ ଅନେଇଁ ସନାଇଁ ବଜାଇବି । ଆମ ସ୍ୱର ବାଜିଲେ ଓଡ଼ିଆର କଙ୍କାଳ ଚେଇଁ ଉଠିବ, ଜାତି ପୁଣି ମୁଣ୍ଡ ଟେକିବ ।

ରାମ କହିଲା, ହୁଁ, ପେଟ କଥା କିଏ ବୁଝିବ ? ଘରେ ଯେଉଁମାନେ ଆଶାକରି ଅନେଇ ରହିଛନ୍ତି ତାଙ୍କ କଥା ? ତୁରୀ କି ସନାଇଁ ଫୁଙ୍କିଲେ ପେଟ ପୂରିବ ନାହିଁ । ଫଳ ହେବ, ଦିଇଟା କୁଟୁମ୍ବ ପୁଣି ଓଡ଼ିଆର କଙ୍କାଳ ସଂଖ୍ୟା ବଢ଼ାଇବେ। ଦାମ ହତାଶ ହୋଇ ଖର ନିଶ୍ୱାସ ପକାଇଲା ।

ରାମ କହିଲା, ଆଉ ଦିବର୍ଷ ଚେଷ୍ଟା କରିବାରେ ଦାମ ।

ପୁଣି ଏକାଠି । ଟିଉସନ୍ । ବି.ଏ. ପାଠ ଆରମ୍ଭ । ସହପାଠୀମାନେ ଆଶ୍ଚର୍ଯ୍ୟ ହୁଅନ୍ତି । ନଜାଣିଲା ଲୋକେ ମନେକରନ୍ତି, ଦିଓଟି ଭାଇ ହେବେ ପରା । ଦାମକୁ ହେଲା ହଇଜା–ଗଲା ମେଡ଼ିକାଲ୍‌କୁ । ଡାକପଡ଼ିଲା ହେଇ ଗଲା, ହେଇଗଲା । ରାମ ବାଇୟାପରି ହେଲା । କହିଲା, ଯିବୁ ତ ଦିହେଁ ଯିବୁ, ଜଣେ କାହିଁକି ? ଦିନ ରାତି ସେବା କରି ସୁନାମୁଦି, ପୁରୁଣା ଶାଲ ବିକି, କାବୁଲିଠୁଁ ଉଧାର କରି ବନ୍ଧୁ ପିଛା ଖରଚ କରି ସେ ବଞ୍ଚାଇଲା ଦାମକୁ ।

ଦୁହେଁ ଏକ ସଙ୍ଗେ ବି. ଏ. ପାସ୍ କଲେ । ରାମ କହିଲା, ଡେଇଁ ପଡ଼ିବା କିରେ ଦେଶ କାମରେ । ମରିଥିଲେ ତ କେବଠୁଁ ମରନ୍ତୁଣି ଦିହେଁ । ଚାଲ ଶପଥ କରିବା । ଭାବିବା, ଆମେ ମରିଛୁଁ । ଆମର ଦୁଇଟା ଚଳନ୍ତି ଆତ୍ମା ଦେଶର ସେବା କରୁ । ମୋର ବନ୍ଧନ ଥିଲା ଦିଓଟି–ଛୋଟ ଭଉଣୀ ପ୍ରମଦା ଓ ମା । ପ୍ରମଦାକୁ ରାଜମହେନ୍ଦ୍ରିରେ ଭଲ ଘର ଦେଖି ବାହା କରେଇ ଦେଇଛି । ମା ବୁଢ଼ୀ ଘର ଭଡ଼ା ଦେଇ, ଜମି ଚାରି ମାଣ ଭାଗ ଲଗେଇ ମାମୁଁଙ୍କ ପାଖରେ ମଞ୍ଜୁଷାରେ ଅଛନ୍ତି, ମୁଁ ନିଶ୍ଚିନ୍ତ । ଭାବୁଛି ଡେଇଁପଡ଼ିବି ଦେଶ କାମ କରିବାକୁ । ତୋର ମତ କ’ଣ ?

ଦୁଇବର୍ଷ ମଧ୍ୟରେ ରାମର ମତ ବଦଳି ଥିଲା । ଦିନେ ଟ୍ରେନ୍‌ରେ ଏକୁଟିଆ ଭୁବନେଶ୍ୱର ଗଲାବେଳେ ଗୋଟିଏ ଘଟଣା ଘଟିଗଲା–

ଇଣ୍ଟରକ୍ଲାସ୍ । ଭିଡ଼ । ଆଗ ବେଞ୍ଚ୍‍ରେ ଦୁଇଜଣ କଲେଜ ଛାତ୍ର ବସି ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିଲେ । ଓଡ଼ିଆ ଅନୁବାଦ ଏହିପରି ହେବ-ଶୁଣନ୍ତୁ ଜାନା ମହାଶୟ, ଭୁବନେଶ୍ୱର ମନ୍ଦିର କି କେବେ ଓଡ଼ିଆମାନେ ତୋଳି ପାରନ୍ତି ? ଅସମ୍ଭବ । ସେମାନେ ତ ଆଜିଯାଏ ସଭ୍ୟ ହେଲେ ନାହିଁ । ପଶୁଜାତିଠାରୁ ଗୋଟିଏ ପାହାଚ ଉପରକୁ ଉଠିଛନ୍ତି କି ନାହିଁ ସନ୍ଦେହ ।

ଯାହା କହିଲେ ମାଇତି ବାବୁ, ସେଥିରେ ଟିକିଏ ବି ଭୁଲ ନାହିଁ । ଆମର ମେଦିନାପୁର କଲେଜର ଇତିହାସ ପ୍ରଫେସ୍‌ର ମିଷ୍ଟର ସାସ୍‌ମଲ ଦିନେ କହୁଥିଲେ, ଭୁବନେଶ୍ୱର, ପୁରୀ, କୋଣାର୍କ ସବୁ ମନ୍ଦିର ବାଙ୍ଗାଲି ହାତରେ ଗଢ଼ା ।

ରାମ ସହି ନପାରି ପଚାରିଲା, ଆପଣ ଦିହେଁ କ’ଣ ବଙ୍ଗାଳି ? ଆଶ୍ଚର୍ଯ୍ୟ ହୋଇ ଦିହେଁ ଚାହିଁଲେ ରାମ ମୁହଁକୁ । ଜଣେ କହିଲା, ଆପଣ କଅଣ ଏତେ ବେଳଯାଏ ବୁଝିପାରି ନାହାନ୍ତି ?

ଆପଣଙ୍କର ନାମରୁ ମୋର ସନ୍ଦେହ ହୋଇଥିଲା ଯେ, ଆପଣ ଦିହେଁ ଓଡ଼ିଆ ।

ପାଟିରୁ କଥା ନସରୁଣୁ ବାବୁଟି ଚିହିଁକି ଆସିଲେ । ହାତ ମୁଠାକଲେ । ଆର ବାବୁଟି ହାତ ଧରି ବନ୍ଧୁଙ୍କୁ ବସାଇଦେଲେ କହିଲେ, ଆଃ, ଛାଡ଼ନା, ପଶୁକୁ ମଣିଷ ବୋଲି ଭାବି ଉତ୍ତ୍ୟକ୍ତ ହେବା ଭଲ ନୁହେଁ । ରାମ ଭାବିଥିଲା ଗୋଟାଏ କିଛି କାଣ୍ଡ ଘଟାଇବ । ଧୈର୍ଯ୍ୟ ଧରି କହିଲା । ଭାବିଲା, ମୟୂରପୁଚ୍ଛଗୁଞ୍ଜା କାଉ ଦିଓଟି । ଖୁମ୍ପା ଖାଇଲେ ବଳେ ବୁଝିବେ ।

ସେଇଦିନ ସେ ପଣ କରିଥିଲା, ଦିନେ ଏମାନଙ୍କ ଆଖିରୁ ଅନ୍ଧପୋଟଳି ଖୋଲିବ । ଦିନେ ପୁଣି ତାଙ୍କର ମୁହଁରେ କୁହାଇବ, ଓଡ଼ିଆ । ଦିହେଁ ବି.ଏ. ପାସ୍ କଲେ । ପଣ ରଖିବାକୁ ଦାମ ଆଗରେ ରାମ ତା’ର ମନକଥା କହିଲା । ଭାବିଥିଲା ଦାମ ଅତି ଖୁସି ହୋଇ ତାକୁ ଆଲିଙ୍ଗନ କରିବ । କହିବ, ଚାଲ ବାହାରିପଡ଼ । ଏଥର ଦେଶର କାମ କରିବା ।

ଦାମ କହିଲା ଠିକ୍‌କଥା, ତେବେ ଆମେତ ଗରୀବ, ଦେଶ କାମରେ ମନ ବଳେଇଲେ ପିଠିକୁ ଯଥେଷ୍ଟ ମିଳିବ ସିନା, ପେଟକୁତ ମିଳିବ ନାହିଁ । ପେଟକୁ ନ ମିଳିଲେ ମିଛରେ ହେଉ କି ସତରେ ହେଉ ଆମେ ହେବା ଚୋର, ଧପ୍‍ପାବାଜ୍ ଇତ୍ୟାଦି । ପେଟକୁ ନ ମିଳିଲେ ଆମର ଚଳନ୍ତି ଆତ୍ମା ଊର୍ଦ୍ଧ୍ୱଗାମୀ ହେବ । ତା ଛଡ଼ା, ମୋର ବୁଢ଼ା ବାପତ ସ୍ୱର୍ଗାରୋହଣ କରି ନାହାନ୍ତି । ଭଉଣୀଟି ପୁଣି ବିଧବା । ତା’ର କିଛି ଗୋଟାଏ ବ୍ୟବସ୍ଥା କରିବାକୁ ହେବ ।

ହତାଶ ହୋଇ ରାମ ପଚାରିଲା, ତେବେ ?

ଦାମ କହିଲା, ମରଣ ମୁହଁରୁ ଫେରିଥାଇଁ ଯେତେବେଳେ ସହଜରେ ଆମେ ମରିବା ନାହିଁରେ, ମରିବା ନାହିଁ । ଲମ୍ୱା ଜୀବନଟା ପଡ଼ିଛି । କିଛି ଗୋଟାଏ ଉପାୟ କରି ଧନ ସଞ୍ଚି ରଖିବା-। ବେଶି ନୁହେଁ–ସାମାନ୍ୟ କିଛି । ତାପରେ ଡେଇଁପଡ଼ିବା । ଦେଶକାମ କରିବାକୁ । ପର ହାତକୁ ଚାହିଁ ରହିବା ନାହିଁ କି ଚାନ୍ଦା ଧନ ଆତ୍ମସାତ୍ କରି ଦେଶଦ୍ରୋହୀ ହେବା ନାହିଁ ।

ରାମ କଥାଟାକୁ ତଉଲି ଦେଖିଲା । ମନ ପାଇଲା । ଉତ୍ତର ଦେଲା, ଭଲ ପ୍ଲାନ୍, ତେବେ ଧନ ଅର୍ଜିବାର ଉପାୟ କ’ଣ ? ଦାମ କହିଲା, ଟିଉସନ୍ ଚାଲିଛି, ବସାଖର୍ଚ୍ଚ ଚଳୁଛି । ଚାକିରିପାଇଁ ଚେଷ୍ଟା କରାଯାଉ ।

କଟକ ସେକ୍ରେଟେରିଏଟ୍‌ରେ ଚାକିରି ମିଳିଲା । ଏକାଦିନେ ପୁଣି ଗୋଟାଏ ଅଫିସ୍‌ରେ ଦିହେଁ ଯୋଗଦେଲେ ।

 

ସନ୍ଧ୍ୟାକୁ ରାମ ଓ ଦାମ ଦିହେଁ ଏକାଠି ଗଲେ କାଳୀ ମନ୍ଦିରକୁ । ଏକାଠି ଭୋଗରାଗ କଲେ । ଜୀବନର ଗୋଟାଏ ଉଦ୍ୟମ ସଫଳ ହୋଇଛି ଅନ୍ନ ବସ୍ତ୍ରର ବ୍ୟବସ୍ଥା ହୋଇଛି । ଅବଶ୍ୟ କିଛି ବଳିବ ।

ରାମ କହିଲା, ମା କାଳୀଙ୍କ ଦୟା ! ବ୍ୟୟ ସଙ୍କୋଚ କରି ଧନ ସଞ୍ଚୟ କଲେ ବର୍ଷ ଦୁଇଟାରେ କିଛି ଧନ ରଖାଯାଇ ପାରିବ । ସେଇଠୁ ଚାକିରିଟା ଛାଡ଼ିଦେଇ ଲାଗିଯିବା ଦେଶ କାମରେ । କଳେ ବଳେ କୌଶଳେ ବିଚ୍ଛିନ୍ନ ଅଞ୍ଚଳଗୁଡ଼ିକ ଓଡ଼ିଶାରେ ମିଶିବ । ମିଷ୍ଟର ଜାନା ଓ ମିଷ୍ଟର ମାଇତି ଦିନେ ପୁଣି କହିବେ, ସେମାନେ ଓଡ଼ିଆ…..

ଦାମ କହିଲା, ମା କାଳୀଙ୍କର ଇଚ୍ଛା । ଦୁହେଁ ପୁଣି ତଳେ ମୁଣ୍ଡ ଲଗାଇ ଏକ ସଙ୍ଗେ କହି ଉଠିଲେ, ମା ଗୋ ମା..... । ବାକୀ ପ୍ରାର୍ଥନଟା ମନେ ମନେ । କେହି କାହାକୁ ପଚାରିବା ଆବଶ୍ୟକ ମଣି ନାହାଁନ୍ତି ।

କାଳୀଗଳିରେ ଗୋଟିଏ ବସାରେ ରହିଲେ ବନ୍ଧୁ ଦିହେଁ, କିନ୍ତୁ ଗୋଟିଏ କୋଠରୀରେ, ନୁହଁ, ଦିଓଟି କୋଠରୀରେ । ଆଉ ଜଣେ ଦୁଇଜଣ ବନ୍ଧୁ ବି ସେ ବସାରେ ରହନ୍ତି । ମେସ୍ । ସୁଖରେ ଜୀବନ କଟେ । ଅଫିସ୍‌ରୁ ଫେରି ସଞ୍ଜବେଳେ ଏକାଠି ବସି ଗପ କରିବା କିମ୍ବା ବହି ପଢ଼ିବାରେ ବେଳ କଟେ । ଏକୁଟିଆ ଜୀବନରେ ଗଳ୍ପ, ରାଜନୀତି, ସାହିତ୍ୟ, ଅଫିସ କଥା । ଦୁହିଁଙ୍କର ମନ ମିଳେ, ମତ ବି ଏକା ।

ଅଫିସ୍‌ରେ ଦୁହିଁଙ୍କର ଟେବୁଲ ପାଖାପାଖି । କଡ଼କୁ ବଡ଼ ବାବୁଙ୍କ ଆସ୍ଥାନ । ସେହି କୋଠରୀରେ ଆହୁରି ମଧ୍ୟ ବଡ଼ ସାନ କେତେ ସହକାରୀ କାମ କରନ୍ତି । ସମସ୍ତେ ପାଠୁଆ, ସମସ୍ତେ ବୁଦ୍ଧିଆ । ସମସ୍ତେ ବୋଧହୁଏ ବିଶ୍ୱବିଦ୍ୟାଳୟର ଡିଗ୍ରୀଧାରୀ । କିଏ କେଉଁ ବିଦ୍ୟାରେ ପାରଙ୍ଗମ । ଇଂରେଜି, ଅର୍ଥନୀତି, ଗଣିତ, ଇତିହାସ, ଦର୍ଶନ, ସଂସ୍କୃତ, ଓଡ଼ିଆ; କିନ୍ତୁ ଏ କାରଖାନାରେ ସଭିଙ୍କର ଗୋଟିଏ ପ୍ରକାର କର୍ମ ।

ସମୁଦ୍ରର ଲହରୀ ଫାଇଲ ମାଡ଼ି ଆସେ ପୁଣି ଫେରିଯାଏ, ଅସରନ୍ତି, ଅଛିଣ୍ଡା । ଗାରେଇ ଗାରେଇ ବନ୍ଧୁମାନେ ନୟାନ୍ତ ହୋଇ ପଡ଼ନ୍ତି । ବଡ଼ବାବୁ ଆସ୍ଥାନ ଛାଡ଼ି ହାକିମଙ୍କ ପାଖକୁ ଗଲେ କଲମ ଛାଡ଼ି ବାବୁମାନେ ଗଳ୍ପ ଆରମ୍ଭନ୍ତି, କେତେ ଆଡ଼ର କେତେ କଥା । ତର୍କ ଚାଲେ । କେହି ହାରନ୍ତି ନାହିଁ, କେହି ଜିତନ୍ତି ନାହିଁ । ତେବେ ବୃଥାରେ ରଗାରଗି, ମୁହଁ ଶୁଖାଶୁଖି ହୁଅନ୍ତି ।

ବଡ଼ବାବୁ ଫେରନ୍ତି । ଛୋଟବାବୁମାନେ ତାଙ୍କର ଫଣଫଣ ମୁହଁକୁ ଚାହିଁ ପ୍ରମାଦ ଗଣନ୍ତି-। ଗଳ୍ପ ଅଧା ରହେ । ବଡ଼ବାବୁ ଡାକନ୍ତି, ରାମବାବୁ ଶୁଣନ୍ତୁ । ଅଧା ପ୍ରାଣ ହୋଇ ରାମ ପାଖକୁ ଯାଏ-। ଟେବୁଲ ଆଗରେ ତୁନି ହୋଇ ଠିଆ ହୁଏ । ଛାତି ଭିତର ଧଡ଼ପଡ଼, କେଉଁଠି କଅଣ ଭୁଲ ହୋଇ ନାହିଁ ତ ? ଚାକିରିଟି ଅସ୍ଥାୟୀ । ଖସି ଯିବ କି ?

ବଡ଼ବାବୁଙ୍କର ତୁଣ୍ଡ ଖୋଲେ, ଏହି ଫାଇଲରେ ଆପଣ ଯେଉଁ ନୋଟ୍ ଦେଇଥିଲେ, ସାହେବ ବଡ଼ ପସନ୍ଦ କରିଛନ୍ତି । ଫାଇଲ ଉପରେ ଧନ୍ୟବାଦ ବୋଲି ଲେଖି ଦେଇଛନ୍ତି । ଭଲ କରି କାମ କରନ୍ତୁ । ଆହୁରି ପରିଶ୍ରମ କରନ୍ତୁ, ଉନ୍ନତି ଅନିବାର୍ଯ୍ୟ । ଯାଉନ୍ତୁ–

ରାମର ପିଣ୍ଡରେ ପ୍ରାଣ ପଶେ । ଓଠରେ ହସ ଫୁଟେ । ବଡ଼ ବାବୁଙ୍କ ହାତରୁ ଫାଇଲଟା ନେଇ ଦେଖେ । ବଡ଼ବାବୁ କହନ୍ତି, ଆପଣଙ୍କର ପ୍ରସ୍ତାବରେ ମୁଁ ଏକମତ ହୋଇ ନ ଥିଲି, କାରଣ–(ବଡ଼ବାବୁ କାରଣ ଦର୍ଶାନ୍ତି) ପୁଣି କହନ୍ତି, ନିଜର ସ୍ୱାଧୀନ ମତ ମୁଁ ଦେଲି । ସାହେବଙ୍କର ଯେଉଁଟା ଇଚ୍ଛା ହେଲା ସେ ଗ୍ରହଣ କଲେ । ଯାଆନ୍ତୁ, ଡ୍ରାଫଟ୍‌ କରି ଆଣନ୍ତୁ ।

ଗଡ଼ ଜିତିଲା ପରି ରାମ ଟେବୁଲ ପାଖକୁ ଫେରେ । କଣେଇଁ ଚାହେଁ ଅନ୍ୟ ବନ୍ଧୁମାନଙ୍କ ମୁହଁକୁ । ଈର୍ଷା ଜଳୁଛି । ବଡ଼ବାବୁ ଡାକନ୍ତି, ଶୁଣନ୍ତୁ ଦାମବାବୁ–ଦାମ ପାଖକୁ ଯାଏ ।

ବଡ଼ବାବୁ କହନ୍ତି, ଆପଣ ବଡ଼ ଅଯତ୍ନଶୀଳ । ଦେଖନ୍ତୁ ତ, ଏ ଫାଇଲ୍‌ଟା ଜରୁରୀ ଥିଲା-। ଏତେ ଦିନ ଡେରି କଲେ କାହିଁକି ? କଅଣ ଏଣୁ ତେଣୁ ଚାରିପଦ ଲେଖି ଫୋପାଡ଼ି ଦେଲେ । ଯେତେ ବୁଝାଇଲି ସାହେବ କ’ଣ ବୁଝିଲା ? କୈଫିୟତ୍ ମାଗିଛି । ଆପଣଙ୍କ ପାଇଁ ମତେ ବି ଗାଳି ଶୁଣିବାକୁ ପଡ଼ିଲା । ମନଦେଇ ପରିଶ୍ରମ କରି କାମ ନ କଲେ ଭଲ ହେବ ନାହିଁ । ଅନୁତାପ କରିବେ । ଦାମ ମୁହଁ ଶୁଖେଇ ଫେରି ଆସେ ।

ସଞ୍ଜବେଳେ–

ରାମ କହେ, ତୋର ମନଟା ଆଜି ଭଲ ନାହିଁ । ଚାଲ ସିନେମା ଦେଖି ଆସିବା ଦାମ । ବଡ଼ବାବୁ ବୟସ୍କ ଲୋକ । ଅଭିଜ୍ଞ ଲୋକ । ତାଙ୍କ କଥା ମନରେ ଧର ନା ।

ଦାମ ଭିତରେ ଭିତରେ ଜଳିଯାଏ । ତାହାର ମନେହୁଏ ରାମ ଯେପରି ତାକୁ ଉପହାସ କରୁଛି । ପ୍ରଶଂସା ପାଇଛି ତା’ର ମନ କୁଣ୍ଢେ ମୋଟ ହୋଇଛି । ହଉ ଦେଖାଯାଉ । ସବୁଦିନେ କଅଣ ସଭିଙ୍କର ଜହ୍ନରାତି ହୋଇଥିବ କି? ଉତ୍ତର ଦିଏ, ନା ଭାଇ, ଆଉ ଏ କିରାଣିଗିରି କରିବି ନାହିଁ । ଦିନରାତି ପରିଶ୍ରମ କରି ପୁଣି ଏତେ ଅପମାନ ସହିବି କିଏ ? ମୁଁ କାଲି ରିଜାଇନ୍ କରିବି ।

ରାମ ବୁଝାଏ, ଆରେ ସେଟା ତ ଶେଷ କଥା । ଚିରଦିନ ଚାକିରି କରି ନିଜକୁ ପର ପାଖରେ ବିକିବା ତ ଆମର ଉଦ୍ଦେଶ୍ୟ ନୁହେଁ । ଚାଲିଥାଉ କେତେ ଦିନ ଇମିତି ଚାଲିଛି । ଟିଉସନ କରିବାଠାରୁ ତ ରୋଜଗାର ବେଶି ହେଉଛି । ଯେଉଁଦିନ ଅଚଳ ହେବ, ସେହିଦିନ ଦିହେଁ ଏକସଙ୍ଗେ ଚାକିରି ଛାଡ଼ିବା । ଚାଲ, ସିନେମା–

ମାସ ନ ପୁରୁଣୁ, ଆଉ ଗୋଟାଏ ଫାଇଲରେ ରାମକୁ ତଲବ ହୁଏ କୈଫିୟତ । ଦାମ ମନେ ମନେ ଖୁସି ହୁଏ । ଛଳେଇ କହେ, ଭୁଲ ସମସ୍ତଙ୍କର ହୁଏ । ଭାବନା କାହିଁକି ? ଅଚଳ ଅବସ୍ଥା ଆସିଲେ ଦିହେଁ ଛାଡ଼ିବା ଚାକିରି ଏକା ସାଙ୍ଗରେ । ତୋ’ କଥାକୁ ମୁଁ ବେଦର ଗାର ପରି ଗ୍ରହଣ କରିଛି । ଚାଲ ଦେଖିବା ଆଜି ନାଟକ–ରାମ ମନା କରେ ନାହିଁ । କାମିଜ ଗଳାଇ ଆଗ ସେ ବାହାରି ପଡ଼େ । ମନରେ ତା’ର ଦୁଃଖ ନାହିଁ । ବାଟରେ କହେ ଶୁଣିଲୁଣି ବଡ଼ବାବୁ କ’ଣ କହୁଥିଲେ-?

କଅଣ ରେ ?

ସତେଇଶି ବର୍ଷ ଚାକିରି ଭିତରେ ଅନ୍ତତଃ ଦୁଇଶ ସତୁରିଟି କୈଫିୟତ୍ ସେ ଦେଇଛନ୍ତି !

ବର୍ଷକ ପରେ–

ଦାମ ଛୁଟି ନେଇ ଘରକୁ ଗଲା । ଘରେ ଗୋଟିଏ ମାସ ରହି ଫେରି ଆସି କହିଲା, ବାଧ୍ୟ ହେଲିରେ ରାମ, ବାଧ୍ୟ ହେଲି । ବାପାଙ୍କର ଯେଉଁ ଅବସ୍ଥା, କେତେବେଳେ ଯେ ସେ ଆଖି ବୁଜିବେ କହିହେବ ନାହିଁ । ବିଧବା ଭଉଣୀଟି ସାଧନା, ଯୁବତୀ ଝିଅ, କେମିତି ସେ ଏକୁଟିଆ ଚଳିବ-? ହଠାତ୍ ମୋର ବାହାଘର ଠିକ୍ ହେଲା । ମତାମତ ଦେବାକୁ ବେଳ ପାଇଲି ନାହିଁ । ମନ ବିଦ୍ରୋହୀ ହୋଇ ଉଠିଥିଲା; କିନ୍ତୁ ବାପାଙ୍କର ଆଗ୍ରହ ଓ ସାଧନାର ଆନନ୍ଦ ଦେଖି ମୁହଁ ଖୋଲି ବାଧାଦେବାକୁ ସାହସ କରି ପାରିଲି ନାହିଁ ।

ସଞ୍ଜ ଅନ୍ଧାର ଘୋଟି ଆସୁଥାଏ । ବନ୍ଧୁ ଦିହେଁ ଅଫିସ୍‌ରୁ ଫେରି କାଠଯୋଡ଼ୀ ନଦୀ କୂଳକୁ ବୁଲିବାକୁ ଯାଇଥିଲେ। କେତେ ଆଡ଼ର କଥା ପଡ଼ିଲା । ଦାମ ଏଇ ଚମକପ୍ରଦ ଘଟଣାଟି ଲୁଚେଇ ରଖିଥିଲା । ଦୁହେଁ ମେସକୁ ଫେରି ଆସିଲେ । ଅନ୍ୟ ବନ୍ଧୁମାନେ ଫେରି ନଥାନ୍ତି । ନିରୋଳା ବେଳ ଦେଖି ଦାମ ସୁଖବରଟା ଜଣାଇ ଦେଲା । ରାମ ମୂଡ଼ୁକେଇ ହସିଲା । ପଚାରିଲା, ବୋହୂଟି କେମିତି ? ନାଁଟି କଅଣ, ପାଠଶାଠ କେତେ ଦୂର ପଢ଼ିଛି ?

ଚାକର ଆଲୁଅ ଜଳାଇ ଟେବୁଲ ଉପରେ ରଖି ଦେଇଗଲା । ବନ୍ଧୁ ଦିହେଁ ଘରେ ପଶିଲେ । ଦାମ ଉତ୍ତର ଦେଲା। ଆଗ୍ରହ ଆନନ୍ଦରେ ତା’ର ମୁହଁ ଉଜୁଳି ଉଠୁଥାଏ । କୋଠରୀଟି ଭିତରୁ ବନ୍ଦ କରି ଦାମ ତା’ର ନବ ପରିଣୀତା ସ୍ତ୍ରୀ ରତିର ଛୋଟ ଫଟୋଟି ଦେଖାଇଲା । କେତେ ପ୍ରଶଂସା କଲା । ରାମ ଗମ୍ଭୀର ହୋଇ ଶୁଣିଲା । ସେ ମଧ୍ୟ ବନ୍ଧୁ ପତ୍ନୀଙ୍କୁ ପ୍ରଶଂସା ନ କରି ପାରିଲା ନାହିଁ ।

ଦାମ ଏଣିକି ଲୁଚେଇ ଲୁଚେଇ ଚିଠି ଲେଖେ, ଲୁଚେଇ ଲୁଚେଇ ଚିଠି ପଢ଼େ । ଘରକୁ ରୀତିମତ ଟଙ୍କା ପଠାଏ । ରାମଠାରୁ ଟଙ୍କା ଧାର ନିଏ । ସୁଝିବାକୁ ମନ କରେ ନାହିଁ । କେତେବେଳେ ରତି ଦେବୀଙ୍କର ଖଣ୍ଡେ ଅଧେ ଚିଠି ଦେଖାଏ । ପଢ଼ୁ ପଢ଼ୁ ତନ୍ମୟ ହୋଇ ପଡ଼େ । ରାମକୁ ଭଲ ଲାଗେ ।

ରାମ ଫିଲ୍‍ମ ଇଣ୍ଡିଆ ବହି କେତେ ଖଣ୍ଡି ପାଖରେ ରଖିଛି । ଦାମ କବାଟ କିଳି ଚିଠି ଲେଖିଲାବେଳେ ସେ ସେହି ବହିଗୁଡ଼ିକର ପତ୍ର ଓଲଟାଇ ଦୀର୍ଘଶ୍ୱାସ ଛାଡ଼େ । ଟେଲିଗ୍ରାମ ଆସିଲା, ଦାମର ବୃଦ୍ଧପିତା ସ୍ୱର୍ଗାରୋହଣ କରିଛନ୍ତି । ଦାମ କାନ୍ଦି କାନ୍ଦି କହିଲା, ଭାଇରେ, ଘରକୁ ନ ଗଲେ ତ ଚଳୁନାହିଁ, ଶୁଦ୍ଧିଘର । ଯୁବତୀ ଟୋକି ଦୁଇଟାକୁ ଏତେ ଦୂରରେ ଛାଡ଼ି ମୁଁ ଏଠି ନିଶ୍ଚିନ୍ତ ହୋଇ କେମିତି ରହିବ ?

ରାମ ପୋଷ୍ଟ ଅଫିସରୁ ଆଣି ଦାମ ହାତରେ ଶହେଟି ଟଙ୍କା ବଢ଼େଇ ଦେଇ କହିଲା, ଅଧିକା ଦରକାର ହେଲେ ଟେଲିଗ୍ରାମ ସେମାନଙ୍କୁ କଟକ ନେଇ ଆସିଲେ ଭଲ ହେବ ପରା । ଦାମ ଉତ୍ତର ଦେଲା ନାହିଁ । ପିତୃଶୋକରେ ସେ ମ୍ରିୟମାଣ ।

ଛୁଟି ଯେଉଁଦିନ ସରିଲା, ସେଇ ରାତି ଗାଡ଼ିରେ ଦାମ ତାହାର ସ୍ତ୍ରୀ ଓ ବିଧବା ଭଉଣୀ ସଙ୍ଗରେ ନେଇ କଟକ ଷ୍ଟେସନରେ ପହଞ୍ଚିଲା । ରାମ ଗାଡ଼ିକୁ ଅପେକ୍ଷା କରି ପ୍ଲାଟଫର୍ମରେ ଠିଆ ହୋଇଥିଲା । ଦାମକୁ ଦେଖି ପାଖକୁ ଆସିଲା । ରାମକୁ ଦେଖି ଦାମ ରତିର ପିଠିରେ ହାତ ମାରି ତୁନି ତୁନି କହିଲା, ରାମ ଆସିଛି । ରତି ଓଢ଼ଣା ଟାଣିଲା । ବିଧବା ଭଉଣୀଟି ମଧ୍ୟ ଓଢ଼ଣା ଦେଲା । ରାମର ଉତ୍ସାହ କମି ଆସୁଥିଲେ ମଧ୍ୟ ଦାମର ହାତ ଧରି କହିଲା, ଘୋଡ଼ାଗାଡ଼ି ଠିକ୍ କରିଛି । ପିଲାଙ୍କୁ ନେଇ ଚାଲିଆ ।

ସମସ୍ତେ ଆସିଲେ ଘୋଡ଼ା ଗାଡ଼ିରେ । ଦାମ ଅନୁରୋଧ କଲେ ମଧ୍ୟ ସଙ୍କୁଚିତ ହୋଇ ରାମ ବସିଲା କୋଚମ୍ୟାନ୍ ପାଖରେ । ବସାରେ ରୋଷେଇ ବାସର ବରାଦ କରିଥିଲା ରାମ । କାଳୀଗଳି ବସାଟି ଦାମକୁ ଛାଡ଼ି ଦେଇ ରାମ ଓ ତା’ର ଆଉ ଦୁଇ ଜଣ ବନ୍ଧୁ ଆଉ ଗୋଟିଏ ମେସରେ ରହିଲେ । ଦାମ ରାଗି କରି କହିଲା, ସେ ଦୁଇ ଜଣ ସିନା ଚାଲିଗଲେ, ତୁ କାହିଁକି ଗଲୁ ? ତୁ ରହିଥିଲେ କଅଣ ତୋର ଅସୁବିଧା ହୋଇଥାନ୍ତା ? ରତି କଅଣ ତୋର ଭଉଣୀ ନୁହେଁ କି ରାମ-?

ରାମ ଦରହସିତ ହୋଇ କହିଲା, ରତି ଦେବୀ ମୋର ଭଉଣୀ ସତ, କିନ୍ତୁ ମୁଁ ତୋର ଶଳା ହେବାକୁ ରାଜି ନୁହେଁ। ମେସ୍ ଜୀବନ ଆରେଇ ଗଲାଣି–ଦାମ ବଳେଇଲା ନାହିଁ ।

ରାମ ତାହାର ନୂଆ ମେସ୍‌ରେ ନୂଆ କୋଠରୀକୁ ଆସି ରାତି ଅଧ ଯାଏ ଫିଲ୍ମ–ଇଣ୍ଡିଆର ପତ୍ର ଓଲଟାଇଲା । କେତେବେଳେ ତାକୁ ନିଦ ହୋଇଗଲା ସେ ଜାଣେ ନାହିଁ ।

ଦାମ ଅଛୁକିରେ–

ଝରକାର ପରଦା ଆଡ଼େଇ ରତି ଚାହିଁଲା ବାହାରକୁ । ସଞ୍ଜ ହୋଇ ନଥାଏ । ରାମକୁ ଦେଖି ମୁହଁ ଲୁଚାଇ ଖଞ୍ଜା ଭିତରକୁ ଆସି କହିଲା, ହେ ଟିମା, ରାମବାବୁ ଆସିଛନ୍ତି, କବାଟ ଖୋଲି ଦେ । ଟିମା ଚାକର ଟୋକା । କବାଟ ଖୋଲିଲା ।

ବାବୁ ନାହାନ୍ତି କି ?

ନା !

କୁଆଡ଼େ ଗଲେ ?

ଏଇଖିଣି କୁଆଡ଼େ ଗଲେ ତ ।

ରାମ ଟିକିଏ ଚିନ୍ତା କଲା । ହାତରେ ଧରିଥିବା ପୁଡ଼ାଟି ଟିମା ହାତରେ ବଢ଼ାଇ ଦେଇ କହିଲା, ନେ, ମାଆକୁ ଦେ । ଆସିଲେ କହିଦେବୁ ମୁଁ ଆସିଥିଲି । ଟିମା ପୁଡ଼ାଟି ଧରି ମଝି କବାଟ ପାଖକୁ ଗଲା । ରତି କବାଟ କଡ଼ରେ ଠିଆ ହୋଇଥିଲା । ତୁନି ତୁନି କହିଲା, ତୋର କଅଣ ବୁଦ୍ଧି ନାଇଁରେ ଟିମା ? ନେ, ଏ କମ୍ବଳଟା ପାରି ଦେ । ଭାଇଙ୍କି ବସିବାକୁ କହ । ଘରେ ତ ଆଉମାନେ ଅଛନ୍ତି–ଟିମା କମ୍ବଳ ପାରିଦେଲା ।

ସଞ୍ଜ-ବତୀ ଲାଗିଲା ବେଳକୁ ଦାମ ଫେରିଲା ଘରକୁ । ଦାଣ୍ଡକବାଟ ମୁକୁଳା ଥିଲା । ସେ ଘର ଭିତରକୁ ପଶିଯାଇ ଦେଖିଲା ଖଟ ଉପରେ ରାମ ବସିଛି । ଟିକିଏ ଦୂରେଇ କରି ତଳେ ବସିଛି ରତି । ମୁଣ୍ଡରେ ଅଧା ଓଢ଼ଣା । ପାନ ଭାଙ୍ଗୁଛି । ନଲଟଣ ଜଳୁଛି ଟେବୁଲ ଉପରେ । ସାଧନା ରୋଷଘରେ । ଟିମା ଆର ଘର ଓଳାଉଛି । ଦାମର ଛାତି ଥରି ଉଠିଲା । ମୁହଁ ଶୁଖିଗଲା । ଓଠ ଉପରକୁ ହସଟାଏ ଟାଣି ଆଣି, ଅଳ୍ପ-ଥରିଲା କଣ୍ଠରେ କହିଲା, କିରେ ରାମ, ତୁ କେତେବେଳେ ?

ପାଟି ଶୁଣି ରତି ଠିଆ ହେଲା । ଓଢ଼ଣା ଟାଣି ଧୀରେ ଧୀରେ ଘରୁ ବାହାରି ଗଲା । ଦାମ ବସିଲା ରାମ ପାଖରେ । ରାମ କହିଲା, ରତି ମୋତେ ଛାଡ଼ିଲା ନାହିଁ । କେତେ ଫାଇଲ ମୋ ଘରେ ଟେବୁଲ ଉପରେ ଗଦା ହୋଇଛି । କହିଲା, ଜଳଖିଆ ଖାଇଯିବ । ସେତକ ସରିଲା । ତଥାପି ଛାଡ଼ିବାକୁ ନାରାଜ । କହିଲା, ସେ ଆସନ୍ତୁ ଯିବ । ତୁ ତ ଆସିଲୁ। ଏଥର ବିଦାୟ ଦେ–

ରହ, ଯିବୁ କୁଆଡ଼େ । ଭାଇ ଭଉଣୀଙ୍କର ପରିଚୟ ତ ଏଥର ହେଲା । ଆଜି ରାତିରେ ତୁ ଏଠି ଖାଇବୁ ।

ନାଇଁ–

କାହିଁକି ?

ରତି ଘର ଭିତରକୁ ପଶି ଆସିଲା । କହିଲା, ଆପଣ ଆଜି ଏଇଠି ଖାଇବେ । ରାମ ନାହିଁ କରି ପାରିଲା ନାହିଁ । ରାତି ଏଗାରଟା ବେଳେ ରାମ ବିଦାୟ ନେଲା ।

ରତି ହସି ହସି ଦାମକୁ ଦେଖାଇଲା–ସିଲ୍କି ଶାଢ଼ୀ, ବ୍ଲାଉଜ୍, ଆଇନା, ଚିରୁଣୀ । କହିଲା, ରାମ ଭାଇ ଆଣିଥିଲେ । ସତେ ତ, କେଡ଼େ ଭଲ ମଣିଷ ସେ । କେତେ ଭଲପାଆନ୍ତି ସେ ତୁମକୁ ।

ଦାମ ପାଟିରୁ ବାହାରିପଡ଼ିଲା, ମତେ ନା ତମୁକୁ ?

ରତି ଅବାକ୍ ହୋଇ ଚାହିଁ ରହିଲା ।

ଦାମ ବୁଝିଲା ତା’ର ମନର କଥା । ହସି ହସିକା କହିଲା, କାହିଁ ମୋ ପାଇଁ ତ କିଛି ସେ ଆଣିନାହିଁ ? ରତି ଉତ୍ତର ନ ଦେଇ ଧୀରେ ଶାଢ଼ୀ ଓ ଅନ୍ୟାନ୍ୟ ପଦାର୍ଥ ଟେବୁଲ ଉପରେ ରଖିଦେଲା । କବାଟ ବନ୍ଦ କରି ଦାମ ପାଖରେ ବସି ମୁହଁ ଶୁଖେଇ କହିଲା, କଅଣ ଫେରାଇ ଦେଇଥାନ୍ତି ? କାଳେ ତୁମେ ରାଗିଥାନ୍ତି ! ତୁମେ କହିଥିଲ ବୋଲି ସିନା ତାଙ୍କୁ ମୁଁ କଥା କହିଲି, ତାଙ୍କ ଆଗକୁ ଗଲି, ନୋହିଲେ ସେ ମୋର କଅଣ କି ? ରତିର ଆଖି ଛଳ ଛଳ ହେଲା । ଦାମ ଅଳପ ହସି କହିଲା, ଥଟା କଥାରେ ତୁମେ ରାଗୁଛ ?

ରତିର ହାତ ଧରି ତାକୁ ଗେଲ କରିବାକୁ ମୁହଁ ବଢ଼ାଇଲା । ରତି ଦାମର ଦୁର୍ବଳ ବେଳରେ ଅଭିମାନ କରି ଉଠି ଠିଆହେଲା । ଖଟ ପାଖରୁ ଘୁଞ୍ଚିଗଲା ଟେବୁଲ ପାଖକୁ । କହିଲା, ତାଙ୍କର ଭାଇପଣିଆଁ ସେତିକି ଥାଉ । ତୁମେ ତାଙ୍କୁ ମନା କରିଦିଅ, ସେ ଆଉ ଆମ ଘରକୁ ଆସିବେ ନାହିଁ । ତମର ସିନା ସେ କଅଣ ହୋଇଥିବେ, ମୋର ତ କିଛି ନୁହଁନ୍ତି । ତୁମେ ଯଦି ମନା ନ କରିବ, ମୁଁ ମନା କରି ଦେବି ।

ଦାମ ଉଠି ଠିଆହେଲା । ଲାଜରା ହୋଇ କହିଲା, ଛି, ଛି । ରତି କହିବାକୁ ଲାଗିଲା, ଛି, ଛି, କଅଣ, ତୁମ ନେଇ ସିନା ସିଏ । ଦାମ ପୁଣି ତା’ର ଦୁଇ ହାତ ଧରି କହିଲା, ରାମକୁ ତୁମେ ଚିହ୍ନିନାହଁ । ଚିହ୍ନିଲେ ବୁଝିବ ତା’ର ହୃଦୟଟା କେଡ଼େ ବଡ଼ । ତୁମେ ଯାହା ବୁଝିଛ ଠିକ୍ । ରାମ ମୋ ପାଇଁ ଜୀବନ ଦେଇପାରେ । ମୋତେ ସେ ପ୍ରାଣରୁ ବଳି ଭଲପାଏ । ତୁମେ ମୋର ସ୍ତ୍ରୀ-ତୁମକୁ ସେ ନିଶ୍ଚୟ ଭଲପାଇବ । ରାମ ପର ଝିଅ, ପର ସ୍ତ୍ରୀକୁ ଆଡ଼ଆଖିରେ ଅନାଏଁ ନାହିଁ । ତମର କଥାରେ ସେ ଯେ ବସିଲା ତା’ର କାରଣ ହେଉଛି, ତୁମକୁ ସେ ଭଉଣୀ କରିଛି । ତମର ଭାଇ ନାହିଁ, ଭାଇର ସ୍ନେହ ତୁମେ ତାରିଠୁଁ ପାଇବ । ଶୁଣ ରତି, ରାମର ମନରେ କଷ୍ଟ ଦେବ ନାହିଁଟି !

ରତି ତୁନି ହୋଇ ଶୁଣିଲା । ଦାମ ଅନୁରୋଧ କଲା, ପିନ୍ଧ ପିନ୍ଧ ସେ ଶାଢ଼ୀ, ତୁମକୁ ମୋ ରାଣ । ରତି ବାଧ୍ୟ ହେଲା ।

ଘନିଷ୍ଠତା ବଢ଼ିଲା ।

ଦାମ ଘରେ ରାମର ଅବାଧ ଗତି । ଖିଆପିଆ, ଦିଆନିଆ । ସଞ୍ଜବେଳେ ଦୁଇ ବନ୍ଧୁଙ୍କର ଗଳ୍ପ ଜମେ । ଦାମ କହେ, ରାମ ! ତୋତେ ବାହା ହେବାକୁ ପଡ଼ିବ । ମଣିଷର ଉଦ୍ଦେଶ୍ୟ ଯାହାଥାଏ, ତାହା ତ ହୋଇପାରେ ନାହିଁ। କାହିଁ ଦେଶ ସେବା କାହିଁ ରତି ଦେବୀଙ୍କର ସେବା ! ମନ୍ଦ ନୁହେଁ ବିବାହିତ ଜୀବନରେ ମଧ୍ୟ ଆନନ୍ଦ ଅଛି ।

ରତି ଚା କପ୍‌ଟି ଟେବୁଲ ଉପରେ ରଖିଦେଇ ଲାଜରା ହୋଇ ଘରୁ ବାହାରିଯାଏ । ଦ୍ୱାରବନ୍ଧ ପାଖରେ ଆଡ଼େଇ ହୋଇ ଠିଆ ହୁଏ । କାନ ପାରେ । ଚାହା ଢୋକେ ତଣ୍ଟିରେ ଗଳେଇଦେଇ ରାମ କହେ, ଯେଉଁ ମାଙ୍କଡ଼ର ଲାଙ୍ଗୁଡ଼ ଖଣ୍ଡିଆ ହୋଇଥିଲା, ସେ ବି ଦିନେ ଏମିତି ଉପଦେଶ ଦେଉଥିଲା । କେତେଦିନ ହେଲା ମୁଁ ଭାବୁଛି, କେବେ ରିଜାଇନ୍ କରିବି । ପୃଥିବୀରେ ଯେତେ ସ୍ତ୍ରୀ ଅଛନ୍ତି ସମସ୍ତେ ତ ମୋର ମାଆ ଭଉଣୀ । ମୁଁ ବିବାହ କରିବି କାହାକୁ ?

ପୃଥିବୀ ସେ ପଟୁ ଯଦି ଗୋଟିଏ ଝିଅ ମିଳେ ।

ମିଳିବ । ପୃଥିବୀ ସେ ପଟକୁ ଯାଇ ମୁଁ ଖୋଜି ଆଣିବ ।

ଦିହେଁ ହସିଲେ ।

ରତି ହସଟାକୁ ଚାପିଦେଇ ଘର ଭିତରକୁ ପଶିଲା । ପାନ ଥାଳିଆଟି ଟେବୁଲ ଉପରେ ରଖିଦେଇ କହିଲା, ଆଜି ଭଲ ସିନେମା ହେଉଛି କହିଲାରୁ ସେ ମନା କରୁଛନ୍ତି । କୂଅବେଙ୍ଗ ପରି ଏଇ ଖଞ୍ଜା ଭିତରେ ଏପାଖ ସେପାଖ ହେଉଥିବ। ସବୁବେଳେ ଖାଲି ଅଭାବ, ଅଭାବ । କେବେ ତାଙ୍କର ଅଭାବ ଯିବଟି ! ରାମ କହିଲା, ନେଇଯାଉନୁ ଦାମ ତାକୁ, ପିଲା ମଣିଷ–

ଦାମ କହିଲା, ସତକଥା ଯେ, ପଇସା ତ ଲୋଡ଼ା ! ସେ ଇନ୍‌ସିଓରେନ୍‌ସ ଏଜେଣ୍ଟ ଦୁଇଟାଙ୍କ କଥାରେ ଭୁଲି ଏକାଥରେ ଦୁଇଟା ଇନସିଓରେନ୍‌ସ-ଦୁଇ ହଜାର ଟଙ୍କାର କରିଦେଲି । ତିନି ତିନିଟା ପ୍ରିମିୟମ ଦେଲଣି । ଏବେ ନାଗ ଚୁଚୁନ୍ଦ୍ରା ଧରିଲା ପରି ହୋଇଛି । ବନ୍ଦ କରି ପାରୁନାହିଁ କି ଦେଇ ପାରୁନାହିଁ । ଏସବୁ ତ ତୁମରିପାଇଁ ରତି ଦେବୀ । ଆଜି ଯଦି ମୋର ଭଲ ମନ୍ଦ ହୋଇଯାଏ, ତୁମରି କାମରେ ଲାଗିବ । ରାଗ ତମତମ ହୋଇ ରତି କହିଲା, ଏଗୁରା କି ଅଲକ୍ଷଣା କଥା । ମୋର ସିନେମା ଯିବା ନ ହେଲା ପଛେ ।

ରାମ କହିଲା, ସାମାନ୍ୟ କଥାରେ ଏମିତି ରଗାରଗି ତ ଉଚିତ ନୁହେଁ । ଚାଲ ଦାମ ସିନେମା ଯିବା । ରତି ତୁ ବି ପ୍ରସ୍ତୁତ ହୋଇପଡ଼ । ଦାମ କହିଲା, ପୁଣି ହେବି ତୋର ଧାରୁଆ ? କେତେ ଟଙ୍କା ତୁ ମୋତେ ଧାର ଦେଲୁଣି ହିସାବ ରଖିଛୁ ? ତା ଛଡ଼ା ରତିକୁ ଯାହା ସବୁ–

ରାମ ବାଧାଦେଇ କହିଲା, ଚୋପ୍ ! ସେ କଥା ଯଦି ତୁ ତୁଣ୍ଡରେ ଧରୁ, ଆଉ ଦିନେ ତୋ ଘରେ ଗୋଡ଼ ଦେବିନାହିଁ । କଅଣ ମୁଁ ଦେଇଛିରେ ରତିକୁ ? ତା’ର ସ୍ନେହର କାଣିଚାଏ ମୁଁ ସୁଝେଇ ପାରିବି ? (ଦାମର ଛାତିରେ କ’ଣ ଅଟକି ଗଲା-ଏହି ସ୍ନେହ କଥାଟା ଶୁଣି) ରତି ମୋର ଭଉଣୀ (ଦାମର ଛାତି ସଫା ହୋଇଗଲା ।) ମୁଁ ତାକୁ ଯେତେ ଦେଲେ ବି ମୋର ମନେହୁଏ କିଛି ଦେଇନାହିଁ । ସେ ବିଷୟରେ ତୁ ପାଟି ଫିଟେଇ ପାରିବୁ ନାହିଁ ।

ଦାମ କହିଲା, ମୁଁ ହାରିଲି । ହେଲା, ତମ ଭାଇ ଭଉଣୀଙ୍କ ଦବାନବା କଥା ତୁମେ ଜାଣ-। ମୁଁ ସେଇଥିପାଇଁ ପାଟି ଫିଟେଇବି ନାହିଁ । ଦେଖ୍, ଆଜି ସୁଦ୍ଧା ତୋଠାରୁ ମୁଁ–କଥା ଅଧା ରଖି ଦାମ ଫାଇଲ ଭିତରୁ ଖଣ୍ଡେ କାଗଜ ଟାଣିଲା । ରାମ ତା’ର ହାତରୁ କାଗଜ ଖଣ୍ଡ ଟାଣିନେଇ ଟିକି ଟିକି କରି ଚିରି ପକେଇଲା । କହିଲା, ହିସାବ କାଢ଼ୁଛୁ, ଲାଜ ନାହିଁ ତତେ ? ମୁଁ କେବେ ତତେ କ’ଣ ଧାର ଦେଇଥିଲି କି ? ମା ବୁଢ଼ୀ ମୋର ମଲାପରେ ମୋର ଆଉ ବନ୍ଧନ ଅଛି କ’ଣ ? ମାସ କେଇଟା ପରେ ମୁଁ ଚାକିରି ଛାଡ଼ିବି । ଦେଶ ଓ ଦଶର କାମରେ ଲାଗି ପଡ଼ିବି । ମୋର ଟଙ୍କା କ’ଣ ହେବ ? ପେଟକୁ ଗଣ୍ଡାଏ ଯେଉଁଠୁ ହେଲେ ମିଳିବ । ସାବଧାନ ! ଧାର ଉଧାର ଟଙ୍କା କଥା ଯେମିତି ତୋ ତୁଣ୍ଡରୁ ମୁଁ ଆଉ କେବେ ନ ଶୁଣେ ।

ଦାମ ମନେ ମନେ ଖୁସି ହେଲା । ମୁହଁ ଗମ୍ଭୀର କଲା । ରାମ କହିଲା, ସିନେମା ବେଳ ହୋଇଯାଉଛି । ଶୀଘ୍ର ବାହାରିପଡ଼ । ଲୁଗାପଟା ପିନ୍ଧିପକା ରତି । ମୁଁ ଗୋଟାଏ ଗାଡ଼ି ଡାକିଆଣେ । ରାମ ଉଠିଲା । ଦାମ କହିଲା, ଗାଡ଼ି କଅଣ ହେବ, ଚାଲିଗଲେ ଭଲ–ବେଶି ଦୂର ତ ନୁହେଁ ।

ରତି ଚାଲି ପାରିବ ?

ଚାଲି ପାରିବି ଭାଇ ।

ସମସ୍ତେ ସିନେମା ଦେଖିବାକୁ ଗଲେ । ସିନେମା ଫେରନ୍ତି ଦାମ, ସାଧନା, ଓ ରତିକୁ ତାଙ୍କ ବସାରେ ଛାଡ଼ି ରାମ ମେସ୍‌କୁ ଫେରିଲା । କେତେ କଥା ଭାବିଲା ଭାବନା । କିପରି ଗୋଳମାଳିଆ ହୋଇଗଲା । ରାତିରେ ନିଦ ହେଲା ନାହିଁ । ଭାବି ଭାବି ସ୍ଥିରକଲା, ନା, ଆଉ ନୁହେଁ, ନିଜ ସଙ୍ଗେ ଲୁଚକାଳି ଖେଳିବା ଉଚିତ ନୁହେଁ । ଦୂରକୁ ନ ପଳାଇଲେ ରକ୍ଷା ନାହିଁ। ଛାତି ଭିତରର ଛଟପଟ ମୋହ, ମନଗହନର ଅନ୍ଧାରି-ଭୁତ ଯଦି କେବେ ପଦାକୁ ବାହାରି ଆସେତ ସର୍ବନାଶ ହେବ । ଛାତି ତଳେ ତାରୁଣ୍ୟର କଲବଲ ଭାବ, କରୁଣ କ୍ରନ୍ଦନ । ଉତ୍ତେଜନାର ଲଗାମ ହୁଗୁଳା, ଅରଣା ଗତି । ନୂତନ ଏ ଅଭିଜ୍ଞତା !

ସରଳ, ନିରୀହ ବାଳିକାଟି ରତି ! ଭାଇ ବୋଲି ନିଃସଙ୍କୋଚରେ ପାଖକୁ ଆସେ । ବଲ୍‌ବଲ୍ କରି ମୁହଁକୁ ଚାହିଁ ଗେହ୍ଲେଇ ଗେହ୍ଲେଇ କଥା କହେ । କେଡ଼େ ଆଗ୍ରହରେ ହାତଧରି ଟାଣେ । ଭାଇ, ଆସ ଜଳଖିଆ ଟିକେ ଖାଇବ । ଭାଇ, ମତେ ବହି ଆଣିଦେବ ନାହିଁ ? ଅଭିଯୋଗ କରେ-ଦେଖ, ତାଙ୍କର ଆଜିକାଲି ତାଆସ ଖେଳ ନିଶାଟା ବେଶି ହୋଇଛି । ସଞ୍ଜବେଳୁ ଯାଉଛନ୍ତି ଯେ ରାତି ଦଶଟାରେ ଫେରୁଛନ୍ତି । ତାଙ୍କର ଏ ଯେଉଁ ହାଉଡ଼ୀ ଭଉଣୀ ସାଧନା, ବେଡ଼ୀଟାଏ । କଥା କହିଲେ ବୁଝେ ନାହିଁ । ବାଲୁ ବାଲୁ କରି ଚାହିଁଥାଏ । କିଛି ତାକୁ ଦିଶେ ନାହିଁ । ଟିମା ବୋଲି ଯେଉଁ ଚାକର ଟୋକାଟା, ସଞ୍ଜ ହେଲା ତ ଶୋଇ ଘୁଙ୍ଗୁଡ଼ି ମାରିବ । ଘୋଷାଡ଼ିଲେ ବି ଉଠିବ ନାହିଁ । ଏକୁଟିଆ ମତେ ଭଲ ଲାଗୁନାହିଁ । ବହି ଆଣିଦେବ ଭାଇ, ମୁଁ ପଢ଼ିବି । ପଢ଼ିବାକୁ ମତେ ଭଲ ଲାଗେ !

ରତି ନିର୍ମଳ, ରତି ପବିତ୍ର !

ରାମ ମନ ଭିତରେ ଦୁଇଟି ଯୁଦ୍ଧ କରୁଛନ୍ତି । ରାମ ଗୋଟାଏ ହେବାକୁ ଚାହେଁ । ସେ ଜାଣେ, କଟକରେ ଥିବାଯାଏ ସେ ଦାମ ଘରକୁ ନ ଯାଇ ରହି ପାରିବନାହିଁ । ନ ଗଲେ, ଦୂରରେ ଥାଇ ଛଟପଟ ହେବ ।

ସକାଳୁ ଉଠି ରାମ ଲେଖିଲା ଇସ୍ତଫାପତ୍ର ।

ରତି ଦାମ ପାଖରେ ଶୋଇ ଭାବିଥିଲା ରାତିସାରା । ଏଇ ତାର ନିର୍ଦ୍ଦୟ ସ୍ୱାମୀ; ଖାଲି ଦେହଟା ଉପରେ ତାଙ୍କର ଅଧିକାର । ସେଇ କଥା ସେ ବୁଝନ୍ତି । ଶୁଖିଲା ଶୁଆଗ । କେବେ ତା’ର କୌଣସି ଅନୁରୋଧ ରଖି ନାହାନ୍ତି। ସବୁବେଳେ ଖାଲି ଟଙ୍କା ।

ରତି ଭାଗିଗଲା–କାନରେ ଯେଉଁ ଦୁଲ ନାଇଁଛି ତାକୁ ଦେଇଛି କିଏ ? ବେକରେ ଯେଉଁ ଚେନ୍ ? ଏ ସବୁ ଶାଢ଼ୀ, ବ୍ଲାଉଜ, ବହି– । ସିନେମା ଯିବାର ଖର୍ଚ୍ଚ ! ରାମ ଭାଇ ! କେଡ଼େ ଗେହ୍ଲାଳିଆ ଡାକ, ରତି ! କେତେ ସ୍ନେହ ! କହନ୍ତି, ମୁଣ୍ଡ କୁଣ୍ଡେଇନୁ, ବାଳଗୁଡ଼ା ଫର୍‌ଫର୍ ଉଡ଼ୁଛି । ମୁଣ୍ଡ ଆଉଁଷନ୍ତି । ମୁହଁ ଶୁଖେଇ ବସିଛୁ କାହିଁକି ? ଦାମ ଆସିନାହିଁ–ତୋ ଅପେକ୍ଷା ତାଆସ ଖେଳଟା ତାର ବଡ଼ ! ଅପଦାର୍ଥ ! ତୋର ସ୍ନେହରେ ମୁଁ କିଣି ହୋଇ ଯାଇଛି ଲୋ ରତି । ତୋର ଆଜି ଜନ୍ମଦିନ । ସେଇଥିପାଇଁ ସିନା ଏ ଶାଢ଼ୀ ଖଣ୍ଡି । ମୂଲ୍ୟରୁ ତତେ ମିଳିବ କଅଣ ? ମୂଲ୍ୟଦେଇ କ’ଣ କେହି କେବେ କାହାର ସ୍ନେହ କିଣିପାରେ ? ତୋର ସ୍ନେହର ମୂଲ୍ୟ କଅଣ ମୁଁ ସୁଝେଇ ପାରିବି ?

ରତି ଭାବେ । ତା’ର ଆତ୍ମା ବି ଛଟପଟ ହୁଏ । ସେ ବି ଲୁଚକାଳି ଖେଳେ ମନ ଆଗରେ-। ରାମ ଭାଇ, ପବିତ୍ର ସେ, ଦେବତା; କିନ୍ତୁ ତାଙ୍କ ପାଖରେ ଦୁର୍ବଳ ମନ ରାହା ଛାଡ଼ିବାକୁ ଇଙ୍ଗିତ ଦିଏ । କାଳେ କେବେ ଦୁର୍ବଳତାର ଆଭାସ ସେ ପାଇ ପାରିବେ । କାଳେ କେତେବେଳେ ତା’ର ଛଟପଟ ଅପବିତ୍ର କାମନା ଦମନ ନମାନି କେଉଁ ଇଙ୍ଗିତରେ ବାହାରିପଡ଼ିବ ପଦାକୁ । କେମିତି ସେ ମୁଣ୍ଡ ଟେକି ଚାହିଁବ ତାହାର ମୁହଁକୁ । କଟକରେ ଥିବାଯାଏ ସେ ନିଶ୍ଚୟ ଆସିବେ । ତାଙ୍କୁ ଦେଖିଲେ ତ ପୁଣି ଯୁଦ୍ଧ ଲାଗିବ ମନ ଭିତରେ । ଦୂରେଇ ରହିବା ଭଲ । ଅନ୍ତତଃ କିଛିଦିନ। ବାପା ଲେଖିଥିଲେ ଯିବାକୁ । ଯେମିତି ହେଲେ ସେ ଯିବ । ରତି ଏହାହିଁ ସ୍ଥିରକଲା ।

କେତେ ଲୋକ ଦେଖେଇ କହୁଛନ୍ତି । ନୀଳ କହିଲା, କିରେ ଭଲ ତ ସ୍ତ୍ରୀ ସ୍ୱାଧୀନତା ପ୍ରଚାର କରୁଛୁ । କୃଷ୍ଣ ମୁହଁ ଗମ୍ଭୀର କରି ରାମକୁ ଉପଦେଶ ଦେଲା, ବାହା ହୋଇ ପଡ଼ୁନୁ । ଏମିତି ଛତରାଙ୍କ ପରି ମେସ୍‌ରେ ଖାଇ ସିନେମା ଥିଏଟରରେ ପଇସା ଉଡ଼ଉଛୁ କାହିଁକି ?

ନେତ୍ରାନନ୍ଦ କହିଲା, ଆରେ ରାମ ! ଭଉଣୀ ଘରକୁ ଚାଲିଯାଉନୁ । ଶଳା ଭିଣେଇ ଏକାଠି ରହିବ । ଖର୍ଚ୍ଚ ଅଳ୍ପ ପଡ଼ିବ ।

ଜଗା ଫାଙ୍କିଲା, ନାଇଁରେ ରାମ ! ଯେମିତି ଅଛୁ ସେମିତି ଥା ।

ସବୁ ଗପ ଅଫିସରେ ହୁଏ । ସମସ୍ତେ ପୁଣି ଅଫିସ ସାଙ୍ଗ । ଏଥିରେ ଅବିଗୁଣ ପାଇବାର କିଛି ନାହିଁ । ଦାମ ଚିହ୍ନେ ତା’ର ସ୍ତ୍ରୀ ରତିକୁ–ନିର୍ମଳ ଜହ୍ନ ପରି ତା’ର ସ୍ୱଭାବ, ପ୍ରକୃତ । ସ୍ୱାମୀର ସେବା ତା’ର ଧର୍ମ ! ଦାମ ପୁଣି ଚିହ୍ନେ ତା’ର ବନ୍ଧୁ ରାମକୁ–କେଡ଼େ ମହାନ୍, ଉଦାର ତା’ର ମନ । ସ୍ୱପ୍ନରେ ସେ କାହାର ଅମଙ୍ଗଳ କଥା ଭାବି ପାରେନାହିଁ । ପରପାଇଁ ଦେବାକୁ ଆଗଭର ହୁଏ ।

ମନେପଡ଼େ, ଦଶଟା ରାତିରେ ଘରକୁ ଫେରି ସେ ଦିନେ ଦେଖିଲା, ରତିର ମୁଣ୍ଡ ପାଖରେ ଚଉକି ପକାଇ ବସିଛି ରାମ । ମୁଣ୍ଡ ଚିପୁଚି । ସେ ଘୋଡ଼ି ହୋଇ ଖଟ ଉପରେ ଶୋଇଛି-। ଦାମକୁ ଦେଖି ରାମ ରାଗିଗଲା, ତୁଟା ଏଡ଼େ ଅପଦାର୍ଥରେ ! ପିଲାଟାକୁ ଜର ହୋଇଛି-। ଛାଡ଼ିଦେଇ ତାଆସ ଖେଳିବାକୁ ଚାଲିଗଲୁ । ୧୦୨ ଟେମ୍ପାରେଚର । ଚାକରଟା ରଖିଛୁ, ଗଧଠୁ ବଳି–ଛି-ଛି, । ଦାମ ଅପରାଧୀ ପରି ଧୀରେ ଧୀରେ ପାଖକୁ ଯାଇ ରତିର ମୁଣ୍ଡରେ ହାତ ମାରିଲା । ଖଇଫୁଟା ତାତି । ରତି ସେଁ ସେଁ ହୋଇ କାନ୍ଦି ଉଠିଲା ।

ଦୁହିଁଙ୍କର ଘନିଷ୍ଠତା ଅତି ପବିତ୍ର ବୋଲି ସେ ମଣେ । କେବେ କେମିତି ଛାତି ଭିତରେ ଅବୋଧ୍ୟ ସନ୍ଦେହ କୁହୁଳି ଉଠେ । ଘୋଟି ଆସେ ଅନ୍ଧାର । ଉଜ୍ଜ୍ୱଳ ସୂର୍ଯ୍ୟାଲୋକରେ ମଧ୍ୟ ଆଖିକୁ କିଛି ଦିଶେ ନାହିଁ । ଯେତେ ଅପବିତ୍ର ଗଳ୍ପ ବନ୍ଧୁ ମହଲରେ ଚର୍ଚ୍ଚା ହୋଇଥିଲା–କାହାର ପତ୍ନୀ, କାହାର ଭଗ୍ନୀ, କାହାର ବଧମନର ଅନ୍ଧାର ଭିତରେ ସବୁ ହୁଏ ଅଭିନୀତ । ହିରୋଇନ୍‌ ରତିଦେବୀ-! ହିରୋ ବାଲ୍ୟବନ୍ଧୁ ରାମଚନ୍ଦ୍ର ! ଦୁନିଆର ସମସ୍ତେ ଦର୍ଶକ ! ରକ୍ତରେ ଅନଳ ଲାଗେ । ପାଗଳ ହେବାକୁ ମନ ହୁଏ । ଦୁନିଆର ସମସ୍ତେ ଦର୍ଶକ ! ହାତ ହୁଏ ମୁଠା ମୁଠା । ଦୀର୍ଘଶ୍ୱାସ ଛୁଟେ-

ରତି ପାଖକୁ ଆସି ପଚାରେ, ଅଫିସ୍ ଯିବନାହିଁ କି ? ରୋଷଇ ତ ସରିଲା ! ଦାମ ଚମକି ଚାହେଁ-ପାଖରେ ତା’ର ପତ୍ନୀ ରତି । ସୁନ୍ଦର ସଜଫୁଟା କଇଁଫୁଲଟି ପରି ମୁହଁ । ଅସଜଡ଼ା କେଶ । ଅସାବଧାନ ବସନ । ଯୌବନର ମନ ଫୁଲାଣିଆ ଢେଉ ଉଚ୍ଛଳ । ସବୁ ଭୂରୁ । ଢଳ ଢଳ ମନକିଣା ଉଜ୍ଜ୍ୱଳ ଆଖିଡ଼ୋଳା । ଧାର ନାକ । ପୂରିଲା ପୂରିଲା ଗାଲ । ରଙ୍ଗ ଗୋଲାପ ପାଖୁଡ଼ା ପରି ଓଠ ଦିଫାଳି ହସ ହସ । ଅସରନ୍ତି ଅନୁରାଗର ଆକର । ଦାମ ସବୁ ଭାବନା ଦୂର କରେ । ରତିର ହାତ ଧରେ ।

ଅଫିସରେ ବନ୍ଧୁମାନେ ଥଟ୍ଟା କଲେ ଦିହରେ ଛୁରୀ ଚାଲିଯାଏ । ମନ ଚାହେଁ, ରାମ ନ ଆସୁ । ରତି ରାମ ପାଖକୁ ନ ଯାଉ । କଥାଭାଷା ନ କରୁ । କାହାକୁ କିପରି ସେ କ’ଣ କହିବ ? ସାହସ ହୁଏ ନାହିଁ । ଛଟପଟ ହୋଇ ବେଳ କଟେ ।

ବଡ଼ ସାହେବଙ୍କ ପାଖରୁ ଫାଇଲଗୁଡ଼ା ଫେରି ବଡ଼ବାବୁଙ୍କ ଟେବୁଲ ଉପରେ ଜମା ହୋଇଛି । ଗୋଟି ଗୋଟି କରି ଫାଇଲ ଦେଖି ସେ ବାବୁମାନଙ୍କ ପାଖକୁ ପଠାଉଛନ୍ତି । ହଠାତ୍‍ ଗୋଟାଏ ଫାଇଲ ଦେଖି ତାଙ୍କର ମୁହଁ ଆମ୍ବିଳା ହୋଇଗଲା । କଣେଇଁ ଚାହିଁଲେ ରାମର ସିଟ୍‌କୁ । ସେ ଆସିନାହିଁ । ବାରଟା ବାଜିଲାଣି ।

ଫାଇଲଟି ବାନ୍ଧି ଟେବୁଲ ଉପରେ ରଖି ବଡ଼ବାବୁ ପଚାରିଲେ, ରାମ ବାବୁ ଆସିନାହାନ୍ତି କି ? କୃଷ୍ଣ କହିଲା, ନାଇଁ । ଏହି ସମୟରେ ରାମ ଅଫିସ ଭିତରକୁ ପଶିଲା । ନେତ୍ରାନନ୍ଦ କହିଲା, ଏଇ ଆସିଲେ ।

ବଡ଼ବାବୁ ମୁହଁ ଫଣଫଣ କରି କହିଲେ, ଏଟା ଅଫିସ ନା ଖେଳଘର ? ଏତେ ଡେରି କରି ଆସୁଛନ୍ତି ଯେ ରାମବାବୁ ? ଚାକିରି କରିବାକୁ ମନ କାହିଁକି ? ବିପିନ ବାବୁ ଗମ୍ଭୀର ହୋଇ କହିଲେ, ଡେରି କରି ଆସିଲେ ଅଫିସ କାମ ଚଳିବ ଖେଳଘର କାମ ଚଳିବ ନାହିଁ । କଅଣ ଆପଣଙ୍କର ମତ ଦାମବାବୁ ? ଦାମ ଫାଇଲ ଉପରୁ ଆଖି ଉଠାଇଲା ନାହିଁ। ନୀଳ କହିଲା, ରାମବାବୁ କାଲି ସିନେମା ଦେଖି ଫେରୁ ଫେରୁ ଡେରି ହୋଇଗଲା । ଟିକିଏ ଶୋଇପଡ଼ିଥିଲେ ବୋଧହୁଏ ।

ରାମ ଉତ୍ତର ଦେଲାନାହିଁ । ବଡ଼ବାବୁଙ୍କ ଟେବୁଲ ପାଖକୁ ଘୁଞ୍ଚିଯାଇ ଖଣ୍ଡେ କାଗଜ ବଢ଼େଇଦେଲା । କାଗଜଟି ପଢ଼ିବା ଆଗରୁ ବଡ଼ବାବୁ ଭାଷା ଉଦ୍‌ଗାରିଲେ, ଛୁଟି ଦରଖାସ୍ତ ? ଅନେକ ଜରୁରୀ ଫାଇଲ ଅଛି । ଛୁଟି ମିଳିବ ନାହିଁ । ରାମ କହିଲା, ପଢ଼ନ୍ତୁ ।

ବଡ଼ବାବୁ ପଢ଼ୁ ପଢ଼ୁ ଚିତ୍କାର କରି ଉଠିଲେ, ଏଁ ଏ କଅଣ କରୁଛନ୍ତି, ଇସ୍ତଫା ? ଆପଣ କଅଣ ପାଗଳ ହେଲେ କି ? ବର୍ତ୍ତମାନ ସାହେବ ହୁକୁମ ଦେଇଛନ୍ତି , ଅପର୍‌ଡିଭିଜନ୍ ପୋଷ୍ଟଟି ଆପଣଙ୍କୁ ଦିଆହେବ । ଆପଣଙ୍କର ଭବିଷ୍ୟତ୍ ଉଜ୍ଜ୍ୱଳ । ଆପଣ କଅଣ ଇସ୍ତଫା ଦେଉଛନ୍ତି ? ଇସ୍ତଫା ଦାଖଲ କଥା ଶୁଣି ବାବୁମାନେ କଲମ ରଖି ବଡ଼ବାବୁଙ୍କ ଆଡ଼କୁ ଅନେଇଲେ ।

ରାମ କହିଲା, ଆପଣଙ୍କୁ ଧନ୍ୟବାଦ । ମୋର ପ୍ରମୋସନ୍‌ ପାଇଁ ଆପଣ ନିଶ୍ଚୟ ସୁପାରିଶ କରିଥିବେ । ସେଥିପାଇଁ ପୁନରପି ଧନ୍ୟବାଦ । ମୋର ଇସ୍ତଫା କାଗଜଖଣ୍ଡି ଟିକିଏ ଜରୁରୀ ଗ୍ରହଣ କରେଇ ଆଣିଲେ ବିଶେଷ ଉପକୃତ ହେବି । ଅନ୍ୟ ବାବୁମାନେ ଟେବୁଲ ପାଖକୁ ମାଡ଼ି ଆସିଲେ । ଏକା ଦାମ ତା’ର ସିଟ୍‌ରେ ବସି ରହିଲା । ମନରେ ଦିଓଟି କଥା ଉଠୁଥାଏ ପଡ଼ୁଥାଏ । ରାମ ପ୍ରମୋସନ ପାଇଛି, ସେ ପାଇନାହିଁ । ରାମ ଇସ୍ତଫା ଦେଇଛି । ଦାମ କାନ ଡେରିଥାଏ ।

ବଡ଼ବାବୁ ଚର୍ବଣ କଲେ, ଆପଣଙ୍କୁ ମୁଁ ଭଲକରି ଚିହ୍ନେ ରାମବାବୁ । କାମରେ କଅଣ ଆପଣଙ୍କର ମନ ଥାଏ ? ସେଇଥିପାଇଁ ମୁଁ ଦାମବାବୁଙ୍କୁ ସୁପାରିଶ କରିଥିଲି, ଆପଣଙ୍କୁ ନୁହଁ । ଆପଣ ନିଜର ଦକ୍ଷତା ଜାଣନ୍ତି, ମୁଁ ବି ଜାଣେ, କିନ୍ତୁ ସାହେବ ଜାଣିଲେ ନାହିଁ । ଆପଣଙ୍କର ଇସ୍ତଫାପତ୍ର ପାଇଲେ ନିଜର ଭୁଲ ସେ ବୁଝିବେ । ମୋ ସୁପାରିଶରେ ସେ ବାଧ୍ୟ ହୋଇ ଏକମତ ହେବେ । ଦାମ ବାବୁ ଅବଶ୍ୟ ପ୍ରମୋଶନ ପାଇବେ ।

କୃଷ୍ଣ ପ୍ରମୋସନ ଫାଇଲଟି ଫିଟାଇ ପଢ଼ିଲା । ନୀଳ ରାମର ଇସ୍ତଫା ଦରଖାସ୍ତ ଧରି ମନେ ମନେ ପଢ଼ିଲା ଆଉ ଖୁସି ହେଲା । ନେତ୍ରାନନ୍ଦ ଜଳି ଯାଉଥାଏ ଈର୍ଷାରେ । ଦୁଇ ବର୍ଷ ତଳେ ଖଣ୍ଡେ ଜରୁରୀ ପତ୍ର ହଜିଯାଇଥିଲା ବୋଲି ଦୁଇଜଣ ତାକୁ ଡେଇଁଲେଣି । ଏଥର ମିଶିଲେ ତିନିଜଣ ହେବ । ରିପ୍ରେଜେନ୍‌ଣ୍ଟେସେନ୍‌ର କିଛି ଫଳ ହୋଇନାହିଁ । ଏଥର ମେମୋରିଆଲ୍‍ କରିବ । ସେଥିରେ କିଛି ନହେଲେ ରିଜାଇନ୍ କରିବ । ଚାରି ଚାରୋଟି ପିଲା ହଠାତ୍ ଗୋଟାଏ ଡ୍ରାଷ୍ଟିକ୍ ଷ୍ଟେପ୍‌ ନେଇପାରୁନାହିଁ ।

ରାମ କହିଲା, ମୋର ଇସ୍ତଫା ଗ୍ରହଣ କଲେ ଆପଣ ସୁଖୀ ହେବେ, ମୁଁ ବି ସୁଖୀ ହେବି-। ନୀଳ କହିଲା, ଦାମ ବି ସୁଖୀ ହେବ । ଦାମର ଆସନ ଟଳିଲା ରାଗରେ ତମତମ ହୋଇ ସେ ଉଠି ଆସିଲା ବଡ଼ବାବୁଙ୍କ ଟେବୁଲ ପାଖକୁ । ରାମର ହାତ ଧରି ହଲାଇ ଦେଇ ରାଗିଲା ସ୍ୱରରେ କହିଲା, ତୋ ମୁଣ୍ଡକୁ କଅଣ ପିତ୍ତ ଉଠିଛି କିରେ ? ରିଜାଇନ୍‌ କରିବା ଆଗରୁ ମୋତେ ଥରେ ପଚାରିଲୁ ନାହିଁ ?

 

କୃଷ୍ଣ ଛିଗୁଲେଇ କହିଲା, ନିଶ୍ଚୟ ପଚାରିବା ଦରକାର ଥିଲା, କିନ୍ତୁ ଆପଣଙ୍କର ତ କିଛି କ୍ଷତି ହେବ ନାହିଁ । ଆପଣ ପ୍ରମୋସନ ପାଇବେ ଦାମବାବୁ । ଦାମ ରାମର ହାତକୁ ଝିଙ୍କିଦେଇ କହିଲା, ଶୁଭୁଛି ତତେ ?

ରାମ କହିଲା, ତୁ ମୋର ଗୁରୁଗୋସେଇଁ ନୁହଁ ଯେ ତୋର ପରାମର୍ଶ ମୁଁ ଲୋଡ଼ିବି । ମୋର ଇଚ୍ଛା ଉପରେ ବାଧାଦେଇ କହିବାକୁ ତୁ କିଏରେ ? ମୁହୂର୍ତ୍ତକ ଭିତରେ ନୀଳ ହାତରୁ ରାମର ଇସ୍ତଫାପତ୍ର ଟାଣିଆଣି ତମତମ ହୋଇ ଦାମ ଟିକି ଟିକି କରି ଚିରିଦେଲା । ରାମ ରାଗିଯାଇ ଦାମକୁ ଯୋର୍‌ରେ ହଲାଇଦେଇ କହିଲା, ଏ କଅଣ କରୁଛୁ ତୁ–

ଦାମ ରାମର ଗାଲରେ ଗୋଟାଏ ଚାପୁଡ଼ା ମାରି କହିଲା, ଏଇଆ କରୁଛି, ଯାଉଛୁ ନା ପୁଣି–

ସେତେବେଳକୁ ଅଫିସର ସବୁ ବାବୁ ଆଉ ପିଅନମାନେ ମଜା ଦେଖିବାକୁ ଜମା ହୋଇଗଲେଣି । କେତେଜଣ ଶାନ୍ତିଭଙ୍ଗର ଆଶଙ୍କା କରି ରାମ ଓ ଦାମ ଦୁଇଜଣଙ୍କ ମଝିରେ ଠିଆ ହୋଇଗଲେଣି । ବାହାରେ ଲୋକେ ପ୍ରଚାର କଲେଣି ରାମବାବୁ ପ୍ରମୋସନ ପାଇଛନ୍ତି ବୋଲି ଦାମବାବୁ ତାଙ୍କୁ ମାଡ଼ ମାରି ମୁଣ୍ଡ କଣା କରିଦେଲେଣି ।

ଦାମ ବୁଲିଆସି ରାମର ହାତ ଧରି ଟାଣିନେଲା । ତା’ର ସିଟ୍ ପାଖରେ ଛାଡ଼ିଦେଇ ଯୋର୍ କରି ଖେଙ୍କିଲା ଗଳାରେ କହିଲା, ବସ । କାମ କର । ନିଜର ଆସନ ଗ୍ରହଣ କରି ଫାଇଲକୁ ଅନେଇଲା, ମୁହଁଟା ନାଲି ଦିଶୁଥାଏ । ରାମ ମୁଣ୍ଡରେ ହାତଦେଇ ଟେବୁଲ ଉପରକୁ ଚାହିଁ ରହିଲା ।

ସମସ୍ତେ ନିଜ ନିଜର ସ୍ଥାନକୁ ଫେରି ଆସିଲେ । ଘଟଣାଟିର ଅର୍ଥ କାହାରି ମୁଣ୍ଡରେ ପଶିଲା ନାହିଁ । କାବା ହୋଇ ସମସ୍ତେ ବନ୍ଧୁ ଦୁହିଁଙ୍କୁ ଚାହିଁ ରହିଲେ । ବଡ଼ବାବୁ ତୁଣ୍ଡ ଖୋଲିବା ଆଗରୁ ପିଅନ ଆସି ଜଣାଇଲା, ସାହେବ ସଲାମ ଦେଇଛନ୍ତି ।

ସାମନାସାମନି କାମ କରନ୍ତି ସେହି ଗୋଟିଏ ଅଫିସରେ । କେହି କାହାର ଆଡ଼କୁ ଚାହାନ୍ତି ନାହିଁ । ସତେକି ଦୁହିଁଙ୍କର କେବେ ଚିହ୍ନାପରିଚୟ ହୋଇ ନାହିଁ । ଆଖପାଖର ବାବୁମାନେ ଦେଖେଇ ଦେଖେଇ କେତେ କିଏ କହିଗଲେଣି । ରାମ କି ଦାମ କାହାରି କଥାର ଉତ୍ତର ଦିଅନ୍ତି ନାହିଁ । କାମ କରନ୍ତି, କାମ ସରିଲେ ଯେଝା ବାଟରେ ଘରକୁ ଫେରନ୍ତି । ଚାକିରି ଜୀବନ–କେବେ ନିନ୍ଦା, କେବେ ପ୍ରଶଂସା ଚାଲିଥାଏ ତ । ପେନ୍‌ସନ୍ ନେବା ଦିନରେ ମଧ୍ୟ ଚାକିରିଆ ଶିଖୁଥାଏ, ‘ଆଜ୍ଞା ହଁ’ କହୁଥାଏ ।

ଶ୍ରୀହର୍ଷ ବାବୁ ତେତିଶି ବର୍ଷ ଚାକିରି କରି ପେନ୍‌ସନ୍ କାଗଜ ଦସ୍ତଖତ କରି ବିଦାୟ ନେବାର ଚାରିଘଣ୍ଟା ଆଗରୁ ହାକିମଙ୍କର ରିମାର୍କ–ଏଇ ଆସି୍ଷ୍ଟାଣ୍ଟ ଅବଶ୍ୟ ଭବିଷ୍ୟତରେ ତାଙ୍କର ହସ୍ତଲିପି ସୁଧାରିବେ, ଇଂରେଜି ବ୍ୟାକରଣ ପ୍ରତି ନଜର ଦେବେ, ନୋହିଲେ ତାଙ୍କ ବିରୁଦ୍ଧରେ କଠୋର ବ୍ୟବସ୍ଥା କରାଯିବ–ସମ୍ମାନ ସହ ନୋଟ୍‌ କରିଥିଲେ । ଚାକିରି ଜୀବନ ! ନେତ୍ରାନନ୍ଦ ମେମୋରିଆଲ କରିଥିଲା । ଫଳ କିଛି ହେଲା ନାହିଁ । ରିପ୍ରେଜେଣ୍ଟେସନ୍ କଥା ଦାମ କେବେ ଭାବିନାହିଁ ।

ରାମ ଦାମଙ୍କ ଭିତରେ କଅଣ ସମ୍ବନ୍ଧ ଥିଲା, ପୁଣି କଅଣ ସମ୍ବନ୍ଧ ଅଛି, ଏହାର ରହସ୍ୟ ଭେଦ କରିବାକୁ ନୀଳ, କୃଷ୍ଣ ପୁଣି ଜଗତ ତୁନି ତୁନି ପରାମର୍ଶ କଲେ ।

ଆଠଟାବେଳେ ଜଗତ ଯାଇ ଦାମ ଘରେ ଡାକ ଛାଡ଼ିଲା । ଟିମା ଚାକର କବାଟ ଖୋଲି ଜବାବ ଦେଲା, ବାବୁ ନାହାନ୍ତି । ଜଗ ପଚାରିଲା ଆଉ କିଏ ଅଛନ୍ତି ? ଚାକର ଉତ୍ତର ଦେଲା, ମା ଅଛନ୍ତି, ଅପା ଅଛନ୍ତି ।

ବାବୁ କେତେବେଳେ ଫେରିବେ ?

କହି ଯାଇ ନାହାନ୍ତି ।

କେତେବେଳେ ଫେରନ୍ତି ?

ଠିକ୍ ନଥାଏ ।

ରାମବାବୁ ଆସିଥିଲେ କି ?

ନାହିଁ ତ ।

ଜଗ ଆଗକୁ ଚାଲିଲା । ଟିମା କବାଟ ବନ୍ଦ କରୁ କରୁ ରତି ଆସି ତୁନି ତୁନି କହିଲା, ବାବୁଙ୍କର ନାଆଁ ପଚାରିଲୁ ନାହିଁ ? ଟିମା କବାଟ ଖୋଲି ବଡ଼ ପାଟି କରି ଡାକିଲା, ହୋ ବାବୁ, ହୋ ବାବୁ, ତମ ନାଁ କଅଣ । ହୋ ବାବୁ ! ରତି ତା’ର ହାତ ଧରି ଘର ଭିତରକୁ ଟାଣି ଆଣି କବାଟ କିଳିଲା । ଜଗ ଡାକ ଶୁଣି ମଧ୍ୟ ନା ଶୁଣିଲା ପରି ଆଗକୁ ଚାଲିଲା । ପେଟ ଭିତରେ ଉଠିଲା ହସରେ କୋହ ବାବୁଆଣୀଙ୍କର ବୁଦ୍ଧି ଇଏ । ଆଫ୍‌ଟର ଥଟ୍ ।

ବିପିନ୍ ମିଳିଲା ରାମର ମେସ୍‌ରେ । ରାମ ରୁମ୍‌ରେ କବାଟ କିଳା, ଡାକ ଛାଡ଼ିଲା । ରାମ କବାଟ ଖୋଲିଲା । ବିପିନ ଦେଖିଲା ଘର କଣରେ କେତେଗୁଡ଼ାଏ କାଗଜରେ ନିଆଁ ଲାଗି ଜଳୁଛି-

କିରେ ଏଗୁଡ଼ା କଅଣ ପୋଡ଼ୁଛୁ ।

ରାମ କହିଲା ।

ପୁରୁଣା ଚିଠିପତ୍ର କି ?

ରାମ ମୁଣ୍ଡ ଟୁଙ୍ଗାରିଲା ।

ଏଣୁ ତେଣୁ କଥାଭାଷା ହୋଇ ବିପିନ ଫେରିଲା ସନ୍ଦେଶ ନେଇ–ଛିଣ୍ଡିଗଲା ଦୁହିଁଙ୍କର ସମ୍ପର୍କ ଚିଠିଗୁଡ଼ାକ ବି ପୋଡ଼ି ପକାଉଚି । ଲୋକଟା ବୁଦ୍ଧିଆ ।

ହରିବାବୁଙ୍କ ଘରେ ତାଆସ ଖେଳ–ବ୍ରିଜ୍ । ତନ୍ମୟ ହୋଇ ଖେଳୁଛି ଦାମ । ଆଜି ଆସିଛି ନୂଆ ପାର୍ଟନର କୃଷ୍ଣ । ରାତି ଆଠଟା ହେଲା । କୃଷ୍ଣ କହିଲା, ଡେରି ହେଉଛି ଭାଇ, ମୁଁ ଚାଲିଲି । ରାଧୁ କହିଲା, ଆଉ ଦିବାଜି ବସ । କୃଷ୍ଣ ଉତ୍ତର ଦେଲା, ଘରେ ତେଣେ ଏକୁଟିଆ ବ୍ୟସ୍ତ ହେଉଥିବେ । ରାଧୁ ଥଟ୍ଟାକରି କହିଲା, ତୋର ଘରେ ଏକା ଅଛନ୍ତି ନା ଆଉ କାହାର ଅଛନ୍ତି ? କିଏ କାହାକୁ ନେଇ ପଳଉ ନାହିଁ ତ ।

ସଭ୍ୟ ସମାଜରେ ନେବା ତ ଦରକାର ପଡ଼େନାହିଁ । ମୋ ସ୍ତ୍ରୀର ଯଦି ଗୋଟାଏ ଧର୍ମ୍ମର ଅଜା କି ଦିଅର କି ଭାଇ ଜୁଟନ୍ତା ତେବେ ମୁଁ ରାତିତମାମ ବସି ଖେଳୁଥାନ୍ତି ।

ମୁଇଁ ତେବେ ଅଜା ବନେ ।

ମୋର କିଛି ଆପତ୍ତି ନାହିଁ । ମୋ ଘରେ ଅଜା ତ ତୋ ଘରେ ନାତି; କିନ୍ତୁ ଏଠି ଆଉ ପାର୍ଟନର ମିଳିବେ ନାହିଁ । ସମସ୍ତେ ହସିଲେ । ଦାମ ଚୁପ୍ ରହିଲା ।

ଦିନେ ସଞ୍ଜବେଳେ ନୀଳ ତା’ର ସ୍ତ୍ରୀକୁ ନେଇ ଦାମ ଘରେ ପହଁଞ୍ଚିଲା । ଦାମ ନଥାଏ । ନୀଳ ଦାଣ୍ଡଘରେ ନିଶ୍ଚିନ୍ତ ହୋଇ ବସିଲା । ନୀଳର ସ୍ତ୍ରୀ ରୋହିଣୀ ଗପ କରୁ କରୁ କିଛି ନ ଜାଣିଲା ପରି ପଚାରିଲା, କେଡ଼େ ସୁନ୍ଦର ସିଲ୍‌କ ଶାଢ଼ୀଟି ହୋଇଛି । କେଉଁଠୁ କିଣିଲ ? ରତି ଉତ୍ତର ଦେଲା ରାମଭାଇ ଦେଇଥିଲେ ।

ତମର ଭାଇ ଏଠି ଥାନ୍ତି କି ?

ହଁ ।

ତମ ନିଜ ଭାଇ ?

ନିଜ ଭାଇଠୁଁ ବଳି ।

କେମିତି ?

ସେମିତି ?

ମତେ ଗୋଟିଏ ସେମିତି ଭାଇ ମିଳନ୍ତା କି ?

ଭାଗ୍ୟରେ ଥିଲେ ମିଳିବ ।

ରୋହିଣୀର ପାଟି ବନ୍ଦ ।

ଘରକୁ ଫେରୁ ଫେରୁ ବାଟରେ ନୀଳକୁ କହିଲା, ଟୋକୀ ଭାରୀ ଜଣେ । ଏଡ଼େ ସୁନ୍ଦର ସେ, ନିଆଁଭଳି ଜଳୁଛି । ଏମିତି ସ୍ତ୍ରୀକୁ ଅନହୂତି କେତେ ଭାଇ ମିଳିବେ, ଆମକୁ ମିଳିବ କେଉଁଠୁ ?

କୃଷ୍ଣର ଘରଣୀ ଆସି କଥାରେ କଥାରେ ଦିନେ ଠିକ୍ ଏମିତି ପଚାରିଲା, କେଡ଼େ ସୁନ୍ଦର ଦୁଲ୍ ହେଇଛି । କେଉଁଠୁ କିଣିଲ ? ଠିକ୍ ଏମିତି ଜବାବ ସେ ପାଇଥିଲା ।

ଫିଲିମ୍‍ ଇଣ୍ଡିଆ ଓ ଆଉ କେତେଗୁଡ଼ିଏ ବହି, କାଗଜପତ୍ର ଧ୍ୱଂସ କରି ରାମ ନିଶ୍ୱାସ ମାରିଲା । ଟିକିଏ ନିଶ୍ଚଳ ହୋଇ ବସି ଦାମ କଥା ଭାବିଲା । ଭାବୁ ଭାବୁ ନିଜ ହାତରେ ନିଜ ଗାଲରେ ମାରିଲା ବ୍ରହ୍ମ ଚାପୁଡ଼ା । ବାହାରୁ ଶୁଭିଲା ହସ । ଚାହିଁଲା, ନୀଳ ଓ କୃଷ୍ଣ ଝରକା ସେପାଖେ ଠିଆହୋଇ ହସୁଛନ୍ତି । ଘଣ୍ଟାକୁ ଅନେଇଲା, ଏଗାରଟା । କବାଟ ଖୋଲିଲା ।

ନୀଳ ଓ କୃଷ୍ଣ ଦିହେଁ ବସିଲେ ଖଟ ଉପରେ । ରାମର ଗୋଟଏ ଗାଲରେ ପାଞ୍ଚ ଆଙ୍ଗୁଠି ବସିଥାଏ । ରାମ ପଚାରିଲା, ଏତେବେଳେ ହଠାତ୍ କୁଆଡ଼େ ? କୃଷ୍ଣ କହିଲା, ସିନେମା ଫେରନ୍ତି । ଭଲ ପିଲିମୀ ଯାଉନୁ ?

ଯାଉନାହିଁ ।

କେବେଠୁ ?

ସେ ଯେଉଁଦିନ ତୋ ସଙ୍ଗେ ସିନେମାରେ ଦେଖା ।

ଯେଉଁଦିନ ଦାମର ପିଲାପିଲିଙ୍କୁ ନେଇ ଯାଇଥିଲୁ, ସେଇ ଦିନଠୁଁ ?

ହଁ ।

କୃଷ୍ଣ ଆଉ କଅଣ ପଚାରିବ ଖୋଜି ପ୍ରଶ୍ନ ପାଇଲା ନାହିଁ ।

ନୀଳ କଥା ବୁଲେଇ ପଚାରିଲା, ନିଜ ଗାଲରେ ନିଜେ କାହିଁକି ଚାପୁଡ଼ା ମାରି ହେଉଥିଲୁ, ପାଗଳ ହେଲୁ କି ?

ରାମ ହସି ହସି କହିଲା, ମୋ ପାଇଁ ତମ ଦୁହିଁଙ୍କର ପ୍ରାଣ ବଡ଼ ବ୍ୟାକୁଳ । ସେଥିପାଇଁ ଭଲ ମନ୍ଦ ବୁଝିବାକୁ ତମର ମନ ଛଟପଟ ହେଉଛି । ଦିହେଁ ଧନ୍ୟବାଦ ଗ୍ରହଣ କର । ସେ ଦିନ ଦାମ ଗୋଟିଏ ଗାଲରେ ଚାପଡ଼ା ମାରିଥିଲା । ସେ ମୋର ବନ୍ଧୁ । ଆର ଗାଲଟା ଘୋଳି ହେଉଥିଲା । ସେ ଗାଲର ଆଶା ତୁମେମାନେ କେହି ମେଣ୍ଟାଇଲ ନାହିଁ । ତେଣୁ ନିଜକୁ ସେ କାମ କରିବାକୁ ହେଲା ।

କୃଷ୍ଣ କହିଲା, ଚାପୁଡ଼ା ମାରିବାର ସାହସ ଓ ଅଧିକାର ସଭିଙ୍କର ନଥାଏ ରେ ରାମ । ରାମ କହିଲା, ଯେଉଁମାନଙ୍କର ନଥାଏ, ସେମାନଙ୍କର ପର କଥାରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ । ଅନ୍ୟ କଥା ଯଦି ଥାଏ, ପଡ଼ୁ । ନୋହିଲେ ପ୍ରଣାମ, ଧନ୍ୟବାଦ । ପଦାକୁ ହାତ ଦେଖାଇଲା । କୃଷ୍ଣ ଓ ନୀଳ ତମତମ ହୋଇ ଫେରିଲେ । ବାଟରେ କେହି କାହାକୁ ପାଟି ଫିଟାଇଲେ ନାହିଁ ।

ରାମ ତା’ର କୋଠରୀଟି ସଜାଇବାରେ ବ୍ୟସ୍ତ । କାନ୍ଥରେ ଟଙ୍ଗାହେଲା ଦେଶ ନେତାମାନଙ୍କର ଛବି । ଟେବୁଲ ଆଗରେ ଭାରତର ମାନଚିତ୍ର । ଡାହାଣ ପାଖକୁ ନିଜ ହାତରେ ଟଣା ହୋଇଥିବା ପୂର୍ଣ୍ଣାଙ୍ଗ ଉତ୍କଳର ମାନଚିତ୍ର, ଯହିଁରେ ଆଧୁନିକ ଓଡ଼ିଶା ପ୍ରଦେଶଟି ଛୋଟ କଳାକାର ଦେଇ ଦେଖାହୋଇଛି । ଗଡ଼ଜାତଗୁଡ଼ିକୁ ନୀଳଗାର ଦେଇ ସୂଚାଇ ଲେଖିଛି ‘ସ୍ୱାଧୀନ ଉତ୍କଳ’ । ବିଚ୍ଛିନ୍ନ ଅଞ୍ଚଳର ଚାରିପାଖେ ନାଲି ପେନ୍‌ସିଲରେ ମୋଟାଗାର ଦେଇଛି । ଲେଖିଛି, ମାନଭୂମି, ସିଂହଭୂମି, ମେଦିନୀପୁର, ଦକ୍ଷିଣ-ବାଙ୍କୁଡ଼ା, ରାୟପୁର, ବିଳାସପୁର, ବିଶାଖପାଟଣା, ବସ୍ତର, ସାରଙ୍ଗଗଡ଼, ରାୟଗଡ଼, ଝସପୁର ।’’

ମୁହୂର୍ତ୍ତେ ଚାହିଁଲା ତା’ର ମାନସ-ପ୍ରତିମା ପୂର୍ଣ୍ଣାଙ୍ଗ ଉତ୍କଳକୁ । ଲୋଟିପଡ଼ିଲା ମାନଚିତ୍ର ଉପରେ । ଝରିଲା ଆଖିରେ ପାଟିକରି ଉଠିଲା–ମା’ ମା, ଦେଖିଲି ତୋର ସ୍ୱରୂପ । ମୋତେ ପାଗଳ କର ମା, ମୋତେ ବାଇଆ କର । କାନ୍ଥରୁ ମୁହଁ ଟେକି ହାତପାପୁଲିରେ ପୋଛିଲା ଲୁହ । ଟେବୁଲ ଉପରେ ସଜାଇ ରଖିଲା ଦେଶ ନେତାଙ୍କର ଜୀବନୀ ।

ରାତି ନଅଟା । ଦାମର ଖାଇବାରେ ତୃପ୍ତି ହେଲା ନାହିଁ । ପ୍ରାୟ ଏକମାସ ହେବ ଖାଇବା ପାଖରେ ବସି ସେ ଉଠେ । ରତି ଡରି ଡରି ପଚାରିଲେ ସେ କହେ ଭଲ ଲାଗୁନାହିଁ । ସାଧନା ବୋକାହୋଇ ଚାହିଁ ରହେ । ରତି ଯେତେ ଯତ୍ନକରି ମନପ୍ରାଣ ଢାଳି ରାନ୍ଧିଲେ ମଧ୍ୟ ଦାମର ପାଟିକୁ ରୁଚେ ନାହିଁ । ଶୋଇବା ଘରକୁ ଆସି ଦାମ ଟେବୁଲ ଉପରେ ବସିଲା । ରତି ପାଖରେ ଠିଆ ହୋଇଥାଏ । ଦାମ ପଚାରିଲା ରାମ ଆଜିକାଲି ଆସୁନାହିଁ କି ?

ରତି ଚମକି ଉଠିଲା । ବୁଝି ପାରିଲା ନାହିଁ ଏତେ ଦିନ ପରେ ଏପରି ପ୍ରଶ୍ନ ତା’ର ସ୍ୱାମୀ ପଚାରିଲେ କାହିଁକି । ଏ ପ୍ରଶ୍ନ କ’ଣ ତାଙ୍କ ମନଭିତରେ କେଉଁ ଛପିଲା ସନ୍ଦେହର ଆକସ୍ମିକ ଅସାବଧାନ ପ୍ରକାଶ ? ନାରୀ ହୃଦୟ ତା’ର ବିଦ୍ରୋହ କରି ଉଠିଲା । ଧୈର୍ଯ୍ୟଧରି ସହଜ କଣ୍ଠରେ ଉତ୍ତର ଦେଲା, ନାହିଁ ।

ଟିକିଏ ତୁନିରହି ଦାମ ପୁଣି ପଚାରିଲା, ଆସୁ ନାହିଁ ।

ରତି ଉତ୍ତରଦେଲା, କେଜାଣି, ମୁଁ ତ କେବେ ଦେଖିନାହିଁ । ତମ ଭଉଣୀ ସାଧନା ଆଉ ଚାକର ଟିମାକୁ ପଚାରି ବୁଝ।

ଚାବୁକ ମାଡ଼ ଖାଇଲାପରି ଚମକି ଉଠିଲା ଦାମ । ଆଖି ବଡ଼ ବଡ଼ କରି ରତିର ମୁହଁକୁ ଚାହିଁଲା । ସେ ମୁହଁରେ ରାଗ କି ଅଭିମାନ କି ଦୁଃଖ ନାହିଁ । ଦାମ ନିଜକୁ ନିଜେ କହିଲା, ଜାଣେ ସେ ଆଉ ବସାକୁ ଆସିବ ନାହିଁ ।

ରତିର ସନ୍ଦେହ ହେଲା, ବୋଧହୁଏ ଦାମ ତାକୁ ମନାକରିଛି । ନୋହିଲେ ଦୁଇ ବନ୍ଧୁଙ୍କ ମଧ୍ୟରେ କଜିଆଗୋଳ ହୋଇ ସଂପର୍କ ଛିଣ୍ଡିଯାଇଛି । କହିଲା, ଯଦି ତମେ ଜାଣ, ମୋତେ ପଚାରିଲ କାହିଁକି ?

ସେ ତୁମର ଭାଇ ବୋଲି ।

ମୋର ଭାଇ ? ତୁମର ବନ୍ଧୁ ନୁହନ୍ତି ?

ଦାମର ରୁଦ୍ଧ ବେଦନା ଉଛୁଳି ଉଠିଲା । ହଠାତ୍‌ ଦୁଇହାତ ମୁହଁରେ ଦେଇ ପାଟିକରି ହସି ଉଠିଲା । ପ୍ରକୃତିସ୍ଥ ହୋଇ କହିଲା, ସେ ମୋର ବନ୍ଧୁ ନୁହଁ–ସେ ମୋର ଶତ୍ରୁ । ସେ ମୋତେ ଭଲପାଏ ନାହିଁ, ସେ ତୁମକୁ ଭଲପାଏ, ତୁମକୁ । ଦାମର ଆଖିରେ ଲୁହ ଢଳଢଳ ହେଲା ।

ରତି କାଠପିତୁଳା ପରି ଠିଆହୋଇ ରହିଲା । ତା’ରି ଆଗରେ ବସି ତା’ର ସ୍ୱାମୀ କେତେ ନିର୍ଦ୍ଦୟ ଭାବରେ କଥାଗୁଡ଼ା କହିଗଲେ । ଏଡ଼େ ସନ୍ଦେହ ! କାହା ଉପରେ ? ରାମ ବାବୁଙ୍କର ଭଲପାଇବା ଉପରେ ସେ କିପରି ବାଧା ଦେଇ ପାରନ୍ତା ? ତାଙ୍କର ମନ କି ପ୍ରକୃତିର ଅଧିକାରିଣୀ ସେ ତ ନୁହେ । ସ୍ୱାମୀର ବନ୍ଧୁରୂପେ ଯେତିକି ସ୍ନେହ କି ଆଦର ଦେଖାଇବାର କଥା, ସେ ସେତିକି ଦେଖାଇଛି । କାହିଁକି ଆଜି ସେ ଅପରାଧିନୀ ହେବ ସ୍ୱାମୀର ଆଗରେ ? ବୃଥା ସନ୍ଦେହରେ ତା’ର ସ୍ୱାମୀ ତାକୁ ଅବହେଳା କରି କରଛଡ଼ା ଦେଇ ବେଶିବେଳ ବାହାରେ ରହୁଛନ୍ତି । ରତି ଏକଥା ଏବେ ବୁଝିଲା ।

ରାଗ ଓ ଅଭିମାନରେ ରତି ଛାତି ଥର ଥର ହୋଇ କମ୍ପିଉଠିଲା । କେଡ଼େ ଦୁର୍ବଳ ତା’ର ସ୍ୱାମୀ, କେଡ଼େ ସନ୍ଦେହୀ ! ଯାହାର ହାତ ଧରି ଘରର ଘରଣୀ, କୁଳର ଲକ୍ଷ୍ମୀ କରି ଆଣିଛନ୍ତି, ତା’ଉପରେ ପୁଣି ସନ୍ଦେହ ? ଆତ୍ମା ତା’ର ଉପହାସ କରି ଉଠିଲା । ପଚାରିଲା, ମନକୁ ରାମ ପାଖରେ ତାରୁଣ୍ୟ କଅଣ କେବେ ହଲଚଲ ହୋଇନାହିଁ ? ରତିର ଆଖିରୁ ଝରି ପଡ଼ିଲା ଲୁହଧାର-। ସେ ଦାମର ଆହୁରି ପାଖକୁ ଘୁଞ୍ଚିଯାଇ ହାତ ଧରି କଅଁଳ କଣ୍ଠରେ କହିଲା, ଏ କଅଣ ତୁମେ କାନ୍ଦୁଛ କାହିଁକି ପିଲାଙ୍କ ପରି ? କଅଣ ହୋଇଛି ? ମୋର ଯଦି କିଛି ଦୋଷ ହୋଇଥାଏ ମତେ କହ ।

ଦାମ କିଛି ନକହି ଟେବୁଲ ଉପରୁ ଓହ୍ଲାଇ ଆସିଲା । ଖଟ ଉପରେ ଶୋଇଲା । ଏତେବଡ଼ ଅପମାନ ରତି ଆଉ ସହିପାରିଲା ନାହିଁ । ଖଟ ପାଖରେ ତଳେ ବସି ଦାମର ଦୁଇ ଗୋଡ଼ରେ ମୁଣ୍ଡ ଲଗାଇ କଇଁ କଇଁ ହୋଇ କାନ୍ଦିଉଠିଲା ।

ଭସାମେଘ ପରି ଦାମର ମନରେ ଘୋଟିଲା ସନ୍ଦେହ, ରତିର କାନ୍ଦିଲା ତୋଫାନରେ ମୁହୂର୍ତ୍ତକରେ ଉଡ଼ିଗଲା । ଅସ୍ତବ୍ୟସ୍ତ ହୋଇ ସେ ଉଠି ବସିଲା । ରତିର ହାତଧରି ଉଠାଇ କହିଲା, ଆରେ ତୁମେ କାନ୍ଦୁଛ କାହିଁକି? ଉପରକୁ ଆସ ।

ରତି କଥା ମାନିଲା ନାହିଁ । ତା’ର କୋହ ଉଠିଲା । ଦାମ ଉଠି ଆସିଲା ତଳକୁ । ରତିର ଦୁଇ ହାତ ଧରି ଖଟ ଉପରକୁ ନେଲା । ତା’ର ଆଖିରୁ ଲୁହ ପୋଛି ସ୍ନେହାର୍ଦ ସ୍ୱରରେ କହିଲା, ଶୁଣ କାନ୍ଦ ନାହିଁ । ରତି କାନ୍ଦିଲାସ୍ୱରରେ କହିଲା, କଅଣ ମୋର ଦୋଷ ହୋଇଛି କହତ ? ଦାମ ତା’ର ମୁହଁରେ ବୋକଦେଇ କହିଲା, ଅତି ବଡ଼ ଦୋଷ ହୋଇଛି । ରାମକୁ ତୁମେ ଡକାଇ ପଠାଇଲ ନାହିଁ କାହିଁକି ?

ରତିର ଛାତିରୁ ନିଆଁ ଖସି ପଡ଼ିଲା । ଆଖିରୁ ଲୁହ ପୋଛି ଦୀର୍ଘଶ୍ୱାସ ଛାଡ଼ି ସେ କହିଲା, ମୋର କି ଗରଜ ଅଛି ? ତମର ସେ ବନ୍ଧୁ କି ଚୁଲି କି ପାଉଁଶ ସେ ଆସୁଥିଲେ । ତମର ସ୍ନେହ, ଆଦର ଦେଖି, ତମ ମନରେ ଦୁଃଖ ନ ଦେବାକୁ ମୁଁ ତାଙ୍କୁ ସମ୍ମାନ ଦେଖାଉଥିଲି ସିନା । ମୁଁ ତାଙ୍କୁ ଚିହ୍ନେ ନା ଜାଣେ ? ତମେହିଁ ତାଙ୍କୁ ମୋର ଭାଇ କରିଥିଲ । ତାଙ୍କ ଆଗକୁ ଯିବାକୁ, ତାଙ୍କ ସଙ୍ଗେ କଥାଭାଷା ହେବାକୁ ତୁମେ ମୋତେ କହିଥିଲ ।

ସେ ତମକୁ ଏତେ ଭଲପାଏ ଯେ !

ରତି ଚିହିଁକି ଉଠିଲା । କହିଲା, ହେଇଥିବ । ସେଥିକି ମୁଁ କଅଣ କରିବି ? ଭଲ ପାଇବାକୁ ମୁଁ ତାଙ୍କୁ ବତେଇ ଦେଇ ନାହିଁ କି କାହାରି ଭଲ ପାଇବାକୁ ମୁଁ ବାଡ଼ବତା ଦେଇ ଅଟକାଇ ପାରିବି ନାହିଁ । କାହିଁକି ଭଲପାଆନ୍ତି ଯାଉନ ତାଙ୍କୁ ପଚାରିବ ? ମୋ ଜାଣିବାରେ ସେ ତମରିପାଇଁ ଏକା ମୋତେ ସ୍ନେହ କରନ୍ତି ।

ପୁଣି ଦାମର ଛାତିରୁ ଉଠିଲା କୋହ । ମନ ତା’ର କାନ୍ଦିଉଠିଲା, ମୋରି ପାଇଁ, ମୋରି ପାଇଁ ? ରାମ ଗୋଟାଛାଏଁ ଏକା ତା’ରି, ଦୁନିଆରେ ସେ ଆଉ କାହାରି ନୁହେଁ ? ଅତୀତର ସୁବ ଘଟଣା ଗୋଟି ଗୋଟି ହୋଇ ତାର ମନେ ପଡ଼ିଲା । ଦୁଇଟି ବନ୍ଧୁ ରାମ ଓ ଦାମ ଅଭିନ୍ନ । ସତେକି କାୟା ଓ ଛାୟା । ବଦଳିଛି ସେ ଦାମ । ବଦଳାଇଛି ରତିର ମାୟା । ଅଭାବର ତାଡ଼ନା ତାକୁହିଁ କରିଛି ସ୍ୱାର୍ଥପର । ସ୍ୱାର୍ଥପରତା ତାକୁହିଁ କରିଛି ଛୋଟ, ସନ୍ଦେହୀ । ଉଜ୍ଜ୍ୱଳ ଜହ୍ନ ଆଲୁଅ ତା’ର ଆଖିକୁ ଦିଶୁଛି ଉଆଁସୀ ଅନ୍ଧାର ପରି । ସେ ଅବିବେକୀ । ସେ ପାତକୀ ।

ରତିକୁ ସେ ଆଲିଙ୍ଗନ କଲା । ବୁହାଇଲା ଚୁମ୍ବନର ଝଡ଼ ।

ପରଦିନ ଅଫିସରେ–

ରାମକୁ ଦେଖି ତା’ର ବନ୍ଧୁମାନେ ଅବାକ୍‌ ହେଲେ । ସବୁଦିନ ପରି ସେ ଆଜି ତା’ର ସିଟ୍‌ରେ ବସି କାମ କରୁଛି, କିନ୍ତୁ ବେଶ-ଭୂଷାରେ ପରିବର୍ତ୍ତନ ଘଟିଛି । ଖଦଡ଼ ଲୁଗାଖଣ୍ଡେ ପିନ୍ଧିଛି । ଦେହରେ ଖଦଡ଼ କମିଜ । ମୁଣ୍ଡରେ କଦଡ଼ ଟୋପି । କୁଆଡ଼କୁ ଚାହୁଁ ନାହିଁ । କାମରେ ମନ ଦେଇଛି-। ଦାମ ଆଜି କଡ଼େଇ ଚାହୁଁଛୁ ତା ଆଡ଼କୁ । କେତେ କଅଣ ଭାବୁଛି, ପଚାରିବାକୁ ମନ କରୁଛି, ପଚାରି ପାରୁନାହିଁ । କାମରେ ତା’ର ମନ ଲାଗୁନାହିଁ ।

ବଡ଼ବାବୁ ଡାକିଲେ, ଶୁଣନ୍ତୁ ରାମବାବୁ । ରାମ ଚପଲ ହଳକ ଗୋଡ଼ରେ ଗଳାଇ ପାଖକୁ ଗଲା । ବଡ଼ାବାବୁ ତା’ର ଗୋଡ଼ରୁ ମୁଣ୍ଡଯାଏ ଚାହିଁ ନାକ ଟେକି କହିଲେ, ଆପଣ ଏମିତି ବେଶରେ ଅଫିସକୁ ଆସିବେ ନାହିଁ ।

ତେବେ କଅଣ ଦିଗମ୍ବର ହୋଇ ଆସିବି ?

 

ବଡ଼ବାବୁ ରାଗରେ ନାଲ ହୋଇଗଲେ । ସେ ବିଷୟରେ ଆଲୋଚନା ବନ୍ଦ କରି କହିଲେ, ଏ ଫାଇଲରେ ସାହେବ ଆପଣଙ୍କ ସଙ୍ଗେ କଥାଭାଷା କାରିବାକୁ ଚାହାନ୍ତି, ଯାଉନ୍ତୁ । ଫାଇଲ ଧରି ରାମ ସାହେବଙ୍କ ପାଖକୁ ଗଲା ।

ବଡ଼ବାବୁ ଦାମବାବୁଙ୍କୁ ପାଖକୁ ଡାକି କହିଲେ, ଆଜିକାଲି ଆପଣ ବଡ଼ ଅନ୍ୟମନସ୍କ ହୋଇ କାମ କରୁଛନ୍ତି । ପ୍ରିସିଡେଣ୍ଟ ଦେଖୁନାହାନ୍ତି କି ରେଫରେନ୍‌ସ ଦେଉ ନାହାନ୍ତି । ବହୁତ ଚିଠି ବାକୀ ରଖୁଛନ୍ତି । ଆପଣ ଚାକିରି ରଖିପାରିବେ ନାହିଁ । ଦେଖନ୍ତୁ, ସାହେବ ଚିଡ଼ିକରି କଅଣ ଲେଖିଛି ।

ଦାମ ଫାଇଲ ନେଇ ପଢ଼ିଲା । ଭାବୁଥିଲା ଦେବକି ଛାଡ଼ି ଚାକିରି ଖଣ୍ଡ ? ଏତେ ଅପମାନ ସହିବ କିଏ ? ରତି ଆଉ ବିଧବା ଭଉଣୀ ସାଧନା କଥା ମନେ ପଡ଼ିଯାଏ । ସେମାନଙ୍କୁ ମୁଠିଏ ଭଲ କରି ଖାଇବାକୁ ଦେଇ ପାରୁନାହିଁ । ଚାରିଆଡ଼ୁ ଅଭାବ ଘେରି ଆସୁଛି । ଚାକିରି ଛାଡ଼ିଲେ ଅବସ୍ଥା ତା’ର ହେବ କଅଣ ? ସହିବା ଛଡ଼ା ଅନ୍ୟ ଉପାୟ ନାହିଁ । ରାମ ଫେରିଲା ।

ରାମ ଓ ଦାମ ଦିହେଁ ବଡ଼ବାବୁଙ୍କର ଟେବୁଲ ଆଗରେ ଠିଆ । ଜଣକର ମୁହଁ ଶୁଖିଯାଇଛି । ଆର ଜଣକର ମୁହଁ ପ୍ରଦୀପ୍ତ । ବଡ଼ ବାବୁ ପଚାରିଲେ କ’ଣ କହିଲେ ସାହେବ ?

ରାଗି ଆସୁଥିଲେ, ପାଣି ପକେଇଦେଲି ତାଙ୍କ ନିଆଁରେ । ଆପଣଙ୍କ ପରି ଚାକିରିନେବାର ଧମକ ଦେବାକୁ ଚେଷ୍ଟା କରୁଥିଲେ । ଭଦ୍ରଭାବରେ ତାଙ୍କୁ ଜଣାଇଦେଲି ଯେ ମୁଁ ଚାରିଦଉଡ଼ି କଟା । ଥଣ୍ଡା ହେଲେ । ଗମ୍ଭୀର ହେଲେ। ଧୈର୍ଯ୍ୟଧରି ମୋ କଥା ଶୁଣିଲେ । ବୁଝିଲେ । ମୁଁ ଯେଉଁ ପ୍ରସ୍ତାବ କରିଥିଲି ତାକୁ ସେ ପସନ୍ଦ କଲେ । ଗ୍ରହଣ କଲେ । ଧନ୍ୟବାଦ ଦେଲେ । ଆପଣଙ୍କ ଯୋଗ୍ୟତା ସମ୍ବନ୍ଧରେ ଫାଇଲ ଉପରେ କଅଣ ଲେଖିଛନ୍ତି ।

ମୋ ସମ୍ବନ୍ଧରେ ?

ପଢ଼ିବା ହେଉନ୍ତୁ ।

ବଡ଼ବାବୁ ପଢ଼ିଲେ, ମୁହଁଟି ପିକ୍‌କା ପଡ଼ିଗଲା । ରାମ ନିଜ ସିଟ୍‌ ପାଖକୁ ଆସିଲା । ଦାମ ଫାଇଲ ଧରି ମୁଣ୍ଡ ନୁଆଇ ଫେରିଲା । ବଡ଼ବାବୁ ଓଠ ନେଫେଡ଼ିଲେ ।

ମନଦୁଃଖରେ ସାଇକଲ ପଛରେ ଗଦାଏ ଫାଇଲ ବାନ୍ଧି ଦାମ ଫେରିଲା ବେଳକୁ ସଞ୍ଜ ହୋଇ ନ ଥାଏ । ରତିକୁ ଦେଖି ସେ ଚମକି ଉଠିଲା । କାନରେ ତାର ଦୁଲ ନାହିଁ । ଖଣ୍ଡେ ଦରମଇଳା ମିଲ୍‌ଶାଢ଼ୀ ପିନ୍ଧି ଦାମ ପାଖରେ ଜଳଖିଆ ଥୋଇଦେଲା । ସେ ବୁଝିଲା ତାଙ୍କର ମନରେ ଆଜି କଅଣ ଦୁଃଖ ହୋଇଛି । ଦାମ ଜଳଖିଆ ଚା ଖାଇସାରି ପଚାରିଲା, ତମର ହାର ଓ ଦୁଲ୍‌ କାହିଁକି ଓହ୍ଲାଇ ପକାଇଛ ?

ହସିଲା ଓଠରେ ରତି ଉତ୍ତର ଦେଲା, ସେ ସବୁତ ମୋର ନୁହେଁ, ଯିଏ ଦେଇଥିଲେ ତାଙ୍କୁ ଫେରାଇ ଦେଲି ।

ଫେରାଇଦେଲ ?

ହଁ, ଯାହା ସେ ଯେବେ ଦେଇଥିଲେ ସବୁ ।

ରାମ କଅଣ ଆସିଥିଲା ? ସେ କେତେ ଆଗରୁ ଅଫିସ୍‌ ଛାଡ଼ି ଚାଲି ଆସିଲାଣି ।

ସେ ଆସି ନଥିଲେ । ତାଲିକା କରି ସବୁ ତାଙ୍କର ସୁଟକେଶରେ ବନ୍ଦକରି ଟିମା ହାତରେ ପଠାଇ ଦେଇଛି ।

ଦାମ ଟିକିଏ ଭାବିଲା । କହିଲା, କାହିଁକି ଏପରି କଲ ? ରତି କହିଲା, ତମକୁ ପଚାରିତ ସେ ମୋତେ ଦେଇ ନ ଥିଲେ । ମୋତେ ଦେବାର ଶକ୍ତି ଯଦି ତମର ନାହିଁ, ପରଦିଆ ଚିଜରେ ମୁଁ ସଉକ କରିବାକୁ ଚାହେ ନାହିଁ ।

ତା’ର ସ୍ନେହ ତ ତମେ ଫେରାଇ ଦେଇ ପାରିବ ନାହିଁ ।

ସେ ମୋତେ କେବେ ସ୍ନେହ କରି ନ ଥିଲେ, ତମକୁହିଁ ସ୍ନେହ କରିଥିଲେ । ତୁମେ ତାଙ୍କୁ ଘୃଣା କରୁଛ କି ସେ ତମକୁ ଘୃଣା କରୁଛନ୍ତି ସେ କଥା ତମେ ଦିହେଁହିଁ କେବଳ ଜାଣ । ତମ ଭିତରେ ସମ୍ପର୍କ ନାହିଁ । ମୁଁ ବାହାରର ଲୋକଟା ମଝିରେ ପଡ଼ି ହଇରାଣ ହେବି କାହିଁକି ? ଯାହା ସେ ଦେଇଥିଲେ ମୁଁ ଫେରାଇ ଦେଇଛି ।

ଦୀର୍ଘଶ୍ୱାସ ଛାଡ଼ି ଦାମ କହିଲା, ତମର ସେ ଭାଇ ।

ଝରିପଡ଼ିଲା ରତିର ଆଖିରୁ ଲୁହ । କହିଲା ଭାଇ ! ଭାଇ ମୋର କେହିନାହିଁ । ସେ ଯଦି ଭାଇ ହୋଇଥାନ୍ତେ, ତୁମ ସଙ୍ଗେ ଅପଡ଼ ହେଲାଦିନୁ ଥରଟିଏ ସେ ଭଉଣୀର ଦୁଃଖ ଦେଖିବାକୁ ଆସି ନଥାନ୍ତେ ? କେହି ଭାଇ କେବେ ଭଉଣୀଠୁଁ ମୁହଁଛପା ହୋଇ ରହିପାରେ ? ମୁଁ ଯଦି ତାଙ୍କର ଭଉଣୀ ହୋଇଥାନ୍ତି, ତମର ଫଣଫଣ ମୁହଁକୁ ମୁଁ ଅପେକ୍ଷା କରି ରହିଥାନ୍ତି କି ? ନିଜେ ମୁଁ ଧାଇଁଯାଇ ତାଙ୍କର ଗୋଡ଼ ଧରିଥାନ୍ତି । ନା, ସେ ମୋର ଭାଇ ନୁହନ୍ତି କି ମୁଁ ତାଙ୍କର ଭଉଣୀ ନୁହେଁ-

ଦାମ ଉଠିଲା । ପୁଣି କାମିଜ ଖଣ୍ଡି ଗଳାଇଦେଇ ବାହାରିଲା ।

କୁଆଡ଼େ ଯାଉଛ ? ତମର ଗୋଡ଼ ଧରୁଛି । ତୁମେ ଆଉ ତାଆସ ଖେଳିବାକୁ ଯାଅ ନାହିଁ ।

ଟିମା ପହଞ୍ଚିଲା । ଦାମ ପଚାରିଲା, ରାମବାବୁ ଘରେ ଅଛନ୍ତି ରେ ?

ହଁ ତାଙ୍କୁ ସୁଟକେଶ୍‌ ଆଉ ଚିଠି ଦେଲି । ସେ ଖୋଲି ଦେଖିଲେ । ଚିଠି ପଢ଼ିଲେ । ଭାରି କାନ୍ଦିଲେ ଆଜ୍ଞା । ମୁଁ କହିଲି, ସୁଟ୍‌କେଶ୍‌ ପାଇଲ ବୋଲି ଟିକିଏ ଲେଖିଦିଅ । ସେ ଚିଠି ଲେଖି ମୋତେ ଦେଉଥିଲେ । ପୁଣି ଚିରିଦେଇ କହିଲେ, ଯା କହିଦେବୁ ପାଇଛି ।

ରୁଦ୍ଧ ବେଦନାର କୋହ ଛପାଇ ଦେବାକୁ ରତି ରୋଷ ଘରକୁ ଚାଲିଗଲା । ଦାମ ସାଇକଲ ଧରି ପଦାକୁ ବାହାରିଲା ।

ରାମର କୋଠରୀଟି ବନ୍ଦ, ବାହାରେ ତାଲା, ଝରକା ଖୋଲା । ଟେବୁଲ ଉପରେ ଆଲୁଅ ଜଳୁଛି । ସୁଟ୍‌କେଶଟା ଖୋଲା ହୋଇ ଖଟ ଉପରେ ରଖା ହୋଇଛି । ଦାମ ଘର ଭିତରକୁ ଚାହିଁଲା । ସବୁ ବଦଳିଛି । କିଛି ସମୟ ଅପେକ୍ଷା କଲା । ମେସ୍‌ ଚାକରକୁ ପାଖକୁ ଡାକି ପଚାରିଲା, ବାବୁ କୁଆଡ଼େ ଯାଇଛନ୍ତି କିରେ ?

ଏଇଲାଗେ ତ ଦାଣ୍ଡରେ ଠିଆହୋଇ ପଲେ ଭିକାରୀଙ୍କୁ ଡାକି ଲୁଗା ବାଣ୍ଟୁଥିଲେ । କୁଆଡ଼େ ଗଲେ କେଜାଣି ।

ଲୁଗା ବାଣ୍ଟୁ ଥିଲେ ?

ହ ଆଜ୍ଞା, ତାଙ୍କର ଯେତେ ସବୁ ପୁରୁଣା ଲୁଗାଥିଲା ସବୁ ବାଣ୍ଟି ଦେଇଛନ୍ତି । ମୋ ଭାଗରେ ଖଣ୍ଡେ ସିଲ୍‌କ୍‌ ଶାଢ଼ୀ ପଡ଼ିଛି । ପଚାରିଲି ଯେ କହିଲେ ତାଙ୍କର କେଉଁ ଭଉଣୀ ଥିଲେ ଯେ ସେ ମରିଯାଇଛନ୍ତି, ତାଙ୍କରି ଶାଢ଼ୀ । ଚାକର ଏତିକି କହି ଚାଲିଗଲା ।

ମେସ୍‌ର ଜଣେ ନୂଆ ମେମ୍ବର ମ୍ୟୁନିସିପାଲ୍‌ ଅଫିସରେ କାମ କରନ୍ତି, ପଦାରୁ ଆସି ପଚାରିଲେ, କାହାକୁ ଖୋଜୁଛନ୍ତି ?

ରାମବାବୁଙ୍କୁ । କାହାକୁ ସେ ?

ହସଟାଏ ହସିଲେ । କହିଲେ, ବାଇଆ ଲୋକ, କୁଆଡ଼େ ଯାଇଥିବେ କେଜାଣି । ଆସିବେ ଯେ ଘର ବନ୍ଦକରି ପଶିବେ; ପଢ଼ୁଥିବେ । କେବେ ଖାଇବେ ତ କେବେ ନାହିଁ । ସତରେ ସେ ପାଗଳ ହୋଇଯିବେ । କଞ୍ଚାପରିବା ଚୋବାନ୍ତି । ତେଲ ଲଗାନ୍ତି ନାହିଁ । ବେଶି ଗପନ୍ତି ନାହିଁ । କେବେ କେମିତି ବଜାରରୁ ମଗାଇ ଜଳଖିଆ ଖାଆନ୍ତି । କହୁଥିଲେ ଭିନ୍ନେ ବସା କରିବେ । ରାତି ନଅଟାଯାଏ ଦାମ ଅପେକ୍ଷା କରି ଫେରିଲା ।

ରତି କାନ୍ଦୁଛି । ଦାମକୁ ଦେଖି ମୁଣ୍ଡଟେକି ଚାହିଁଲା । ଦାମ ତା ମୁଣ୍ଡରେ ହାତମାରି ଦେଖିଲା ଜର । ପରଦିନ ଅଫିସରେ ରାମ ସହ ଦାମ ଦିହେ ଅନୁପସ୍ଥିତ । ଦୁହେଁ ଛୁଟି ଦରଖାସ୍ତ ଦେଇଛନ୍ତି ।

ତା ପରଦିନ ଦାମ ଅଫିସକୁ ଆସିଲା । ରାମର ଦେଖା ନାହିଁ । ସେ ଛୁଟି ଏକ୍‌ଷ୍ଟେଣ୍ଡ କରିଛି ଦୁଇଦିନ, କୌଣସି ଜରୋରୀ ଘରୋଇ କାରଣରୁ । ଘଟଣା କଅଣ ଜାଣିବାକୁ ଦାମର ମନ ଛକପକ ହେଲା । ଅଫିସ୍‍ ଫେରନ୍ତି ଦାମ ଜାଣି ଜାଣି ରାମର ମେସ୍‌ ବାଟେ ଗଲା । ଚାକରକୁ ଦେଖି ସାଇକଲ୍‌ରୁ ଓହ୍ଲାଇ ପଚାରିଲା, ରାମବାବୁ ଅଛନ୍ତି ?

ଉତ୍ତର ପାଇଲା, ଆଜ୍ଞା ନା । ସେ ଆଜି ଦିପହରେ ବସା ବଦଳାଇ ଆଉ କୁଆଡ଼େ ଗଲେଣି ।

କୁଆଡ଼େ ?

କହୁଥିଲେ, ତାଙ୍କର କେଉଁ ଭଉଣୀ ଘରକୁ ।

ଚାକର ଘର ଭିତରକୁ ଗଲା । ଦାମ ଭାବିଲା, ତା’ର ଆଉ ଭଉଣୀ କିଏ ? ତେବେ କଅଣ ରତିର ବେମାର କଥା ସେ ଶୁଣିଛି ? ରତି ତାକୁ ଡାକି ପଠେଇଥିଲା ? ରାମର ପାଗଳାମୀ ଭଲ ହେଲା, ସେ ଯାଇଛି ମୋ ପାଖକୁ ? ମନ ଖୁସିରେ ସାଇକଲ ଛାଡ଼ିଲା । ପ୍ରାଣ ତା’ର ଡାକିଲା ରାମ ଓ ଦାମ ଅଲଗା ହୋଇ ପାରିବେ ନାହିଁ ।

ଟିମା ହାତକୁ ସାଇକଳ ବଢ଼ାଇ ତର ତର ହୋଇ ଦାମ ଭିତରକୁ ପଶିଲା । ରତି ଶୋଇଛି । ପାଖରେ ବସି ସାଧନା ତା ମୁଣ୍ଡରେ ପାଣିପଟି ଦେଉଛି । ଦାମ କାବା ହୋଇ ଚାରିଆଡ଼କୁ ଚାହିଁଲା । ସାଧନା ଉଠି ଠିଆହେଲା । ଦାମ ରତିର ମୁଣ୍ଡ ପାଖରେ ବସି ଦେହରେ ହାତମାରିଲା । ଖଇଫୁଟା ତାତି । ରତିର ଆଖି ଖୋଲିଲା । ଦାମ ପାଟିରୁ ବାହାରିଲା, ରାମକୁ ଡକାଇଥିଲ କି ? ରତି ପଚାରିଲା, ସେ କିଏ ? ସେ ଆଖି ବୁଜିଲା । ଦୁଇଧାର ଲୁହ ଗଡ଼ିପଡ଼ିଲା ତା’ର ଆଖି କୋଣରୁ ।

ରତିର ସେବା କରିବାକୁ ଦାମ ଦଶଦିନ ଛୁଟି ନେଲା । ଦିନ ନାହିଁ, ରାତି ନାହିଁ, ଖିଆପିଆ ଭୁଲି, ଧାର କରଜ କରି ସେ ରତିକୁ ଭଲ କଲା । ମରଣ ମୁହଁ ରୁ ଫେରାଇ ଆଣି ସେ ବୁଝିଲା ରତିର ଜୀବନର ମୂଲ୍ୟ କେତେ । ସେ ଅନୁଭବ କଲା, କେବଳ ତାହାରି ଅବହେଳା ପାଇଁ ରତିର ଏ ଅବସ୍ଥା ହୋଇଥିଲା । ଦାମ ଆହୁରି ପନ୍ଦର ଦିନ ଛୁଟି ବଢ଼ାଇଲା ।

ଯେଉଁଦିନ ସେ ଅଫିସ ଫେରିଲା, ପ୍ରଥମ ସୁ ସମ୍ବାଦ ତାକୁ ଦେଲା ନୀଳ । ଆରେ, ତୁ ଅପର ଡିଭିଜନକୁ ପ୍ରମୋସନ ପାଇଛୁ । ନେତ୍ରାନନ୍ଦ ପୁଣି ରିପ୍ରେଜେଣ୍ଟ୍‍ କରିଛି । ଦାମ ନିଜର ସିଟକୁ ଗଲା । ଆଗ ସିଟ୍‌ରେ ରାମ ପରିବର୍ତ୍ତେ ଆଉ ଜଣେ ଭଦ୍ରଲୋକ ବସି କାମ କରୁଛନ୍ତି ।

ପାଖ ସିଟ୍‌ରୁ କୃଷ୍ଣ କହିଲା, ଜାଣିଥିବୁ ବୋଧହୁଏ, ରାମ ରିଜାଇନ୍‌ କରିଛି, ଆଉ ସେହି ଭ୍ୟାକାନ୍‌ସିରେ ତୁ ପ୍ରମୋସନ୍‌ ପାଇଛୁ ।

ବଡ଼ବାବୁ ହାଙ୍କିଲେ, କେଡ଼େ ଇଣ୍ଟେଲିଜେଣ୍ଟ ଥିଲେ ରାମବାବୁ । ଯେମିତି ସାହେବ ତାଙ୍କୁ ଭଲ ପାଉଥିଲେ, ସେ ନିଶ୍ଚୟ ଭବିଷ୍ୟତରେ ଉନ୍ନତି କରିଥାନ୍ତେ । ଅନେକ ବୁଝେଇଲି ମାନିଲେ ନାହିଁ । କହିଲେ, ମଣିଷ ଜୀବନରେ ଉନ୍ନତି ଅବନତି କଅଣ ? ନିଜର ଜୀବନର ଲକ୍ଷ୍ୟ ଯାହା, ସେହି ବାଟରେ ଆଗେଇଲେ ବଞ୍ଚିବା ସାର୍ଥକ ହୁଏ । ଦାମ ମଲା, ତା’ର ଭୂତ ମୋତେ ମାରିବାକୁ ଟାଣୁଥିଲା । ମୁଁ ମରିବାକୁ ଚାହେଁ ନାହିଁ ।

ବଡ଼ବାବୁ କହିବାକୁ ଲାଗିଲେ, ପଚାରିଲା, ଦାମବାବୁ ମଲେ କିପରି ? ଉତ୍ତର ଦେଲେ ସେ, ଆପଣ ବୁଝିବେ ନାହିଁ, ସେ ବୁଝିବ ।

ଜଗୁ ପଚାରିଲା, ତୁ କେବେ ମଲୁ ରେ ଦାମ ?

ଅନେକ ଦିନୁଁ ।

ସ୍ୱାମୀର ପ୍ରମୋସନ୍‌ କଥା ଶୁଣି ରତି ଖୁସି ହୋଇଥିଲା । ରାମ ଯେ ରିଜାଇନ୍‌ କରିଛି, ଏ କଥା ରତିକୁ କହିବାକୁ ଦାମ ଆବଶ୍ୟକ ମଣିଲା ନାହିଁ । ସଞ୍ଜବେଳେ ରତି ଦାମ ହାତରେ ଗୋଟିଏ ଟଙ୍କା ଦେଇ କହିଲା, ନିଅ, କାଳୀ-ମନ୍ଦିରରେ ଭୋଗ କରି ଆଣିବ ।

ତମେ ବି ଚାଲ ।

ରତି ଆଗ୍ରହରେ ସଫା ଲୁଗାଟି ପିନ୍ଧିଲା । କଅଣ ତାର ମନେପଡ଼ିଗଲା କେଜାଣି, କହିଲା, ତମେ ଏକା ଯାଅ ।

କାହିଁକି ? ମନ୍ଦିର ବେଢ଼ା ଭିତରେ ଶିବଲିଙ୍ଗ ଥିବେ ।

ଥାଉନ୍ତୁ ।

ରତିର ମୁହଁରେ ରଙ୍ଗ ଉକୁଟିଲା ।

ଛତ୍ରପୁର

୧୦.୫.୧୯୪୮

Image